ନନ୍ଦନକାନନରେ ଜେବ୍ରାବଂଶ ଲୋପ ! ଖୁଆଡ଼ରେ ଥିବା ଏକମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ

38

କନକ ବ୍ୟୁରୋ: ନନ୍ଦନକାନନର ଏକ ମାତ୍ର ପୁରୁଷ ଜେବ୍ରାର ମୃତ୍ୟୁ ଘଟିଛି । ଆଜି ସକାଳୁ ଜେବ୍ରାଟି ରହୁଥିବା ୩୪ ‘କ’ ଖୁଆଡ ମଧ୍ୟରେ ମରି ପଡିଥିବା ଦେଖିବାକୁ ପାଇଥିଲେ ଜନ୍ତୁ ରକ୍ଷକ । ଜେବ୍ରାଟିର ଆକସ୍ମିକ ମୃତ୍ୟୁ ହୋଇଛି । ଏହାଦ୍ୱାରା ନନ୍ଦନକାନନରେ ଜେବ୍ରାବଂଶ ଲୋପ ପାଇଛି । ମୃତ ଜେବ୍ରାଟିର ବୟସ ଅଢେଇ ବର୍ଷ ହୋଇଥିଲା । ଗତ ୨୦୧୫ ମସିହା ସେପ୍ଟେଟର ମାସରେ ଜେବ୍ରାଟିକୁ ଅନ୍ୟ ୩ ସାଥୀଙ୍କ ସହିତ ଇସ୍ରାଏଲର ତେଲଆବିଭରୁ ନନ୍ଦନକାନନକୁ ଅଣାଯାଇଥିଲା ।

ତେବେ ଜେବ୍ରାଟିର କେମିତି ମୃତ୍ୟୁ ଘଟିଛି ତାହା ଜଣା ପଡିନାହିଁ । ପୂର୍ବରୁ ଦୁଇଟି ଜେବ୍ରାଙ୍କର ମୃତ୍ୟୁ ହୋଇଥିଲା ଓ ଗତ ମଇ ମାସ ୩୦ ତାରିଖରେ ଏକ ପୁରୁଷ ଜେବ୍ରାର ମୃତ୍ୟୁ ପରେ ନନ୍ଦନକାନରେ ମାତ୍ର ଗୋଟିଏ ଜେବ୍ରା ଥିଲା । ଆଜି ଏହାର ମୃତ୍ୟୁ ପରେ ନନ୍ଦନକାନନରୁ ଜେବ୍ରା ବଂଶ ଲୋପ ପାଇଛି । ଜେବ୍ରଟିର ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ତେବେ ଗତକାଲି ରାତିରେ ବଜ୍ରପାତରେ ଜେବ୍ରାଟିର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଛି ।