ନନ୍ଦନକାନନର ହେବ ନବକଳେବର: ୪୩୭ ଏକରରୁ ୬୧୦ ଏକରକୁ ବଢ଼ିବ, ସାମିଲ ହେଲା ଚୁଡ଼ଙ୍ଗ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲ; ବର୍ଷକ ଭିତରେ ପାଚେରି, ହେବ ବିଶାଳ ହରିଣ ପାର୍କ

215

କନକ ବ୍ୟୁରୋ: ବଢ଼ିଲା ନନ୍ଦନକାନନର ପରିସୀମା । ୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଯୋଡ଼ି ହୋଇଛି ଆଉ ୬୧୦ ଏକର ଜଙ୍ଗଲ ଜମି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ଚୁଡ଼ଙ୍ଗ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲକୁ ପ୍ରାଣୀ ଉଦ୍ୟାନ ସହ ସଂଯୋଗ କରାଯାଇଛି। ଉକ୍ତ ଦୁଇ ସଂରକ୍ଷିତ ଅଞ୍ଚଳ ଯୋଡ଼ି ହେବା ପରେ ନନ୍ଦନକାନନର ଆକାର ୧ ହଜାର ୪୭ ଏକରରେ ପହଞ୍ଚିଛି। ନୂତନ ଭାବେ ଯୋଡ଼ି ହୋଇଥିବା ଜମିର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଶାଳ ନନ୍ଦନକାନନ ସ୍ବପ୍ନ ସାକାର ହେବାକୁ ଯାଉଛି।

ଯୋଜନା ଅନୁଯାୟୀ ନନ୍ଦନକାନନ ପଛପାର୍ଶ୍ବରେ ଥିବା ଉକ୍ତ ଦୁଇ ସଂରକ୍ଷିତ ଜଙ୍ଗଲ ସାମିଲ ହୋଇଥିବାରୁ ସେଠାରେ ମଧ୍ୟ ଜୀବଜନ୍ତୁ ରହିବେ। ପ୍ରାରମ୍ଭିକ ପର୍ୟ୍ୟାୟରେ ଜମି ଚିହ୍ନଟ ପରେ ପାଚେରି ବୁଲିବ। ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରାଯିବ। ଚିହ୍ନଟ ହୋଇଥିବା ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ହରିଣ ରହିଛନ୍ତି। ତେଣୁ ହରିଣଙ୍କ ପାଇଁ ବିଶାଳ ପାର୍କ କରିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନ ହରିଣଙ୍କ ସମେତ ରାଜଭବନ ଓ କଟକସ୍ଥିତ ହରିଣ ପାର୍କରେ ହରିଣଙ୍କ ସଂଖ୍ୟା ବଢ଼ିଲେ ସେମାନଙ୍କୁ ଏଠାରେ ଛାଡ଼ିବା ପାଇଁ ବି ବ୍ୟବସ୍ଥା କରାଯିବ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବହୁ ପରିମାଣରେ ମୟୂର ରହିଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ସଫାରି ଖୋଲିବା, ସେମାନଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଛଡ଼ାଯିବ। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖିବା ପାଇଁ ନୂତନ ହ୍ରଦ ନିର୍ମାଣ ସହ କୁମ୍ଭୀର ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଏଥିସହ ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବି ଯୋଜନା ହୋଇଛି।

ଆଉ ଏକ ନିଷ୍ପତ୍ତିକ୍ରମେ ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥର ରୂପ ବଦଳିବ। ବର୍ତମାନର ପ୍ରବେଶ ପଥକୁ ଆକର୍ଷଣୀୟ କରାଯିବ। ଏଥିସହ ଯାନବାହାନ ପାଇଁ ମଲ୍ଟି ଲେୟାର ପାର୍କିଂ ବ୍ୟବସ୍ଥା ହେବ। ସମ୍ମୁଖ ଭାଗରେ ଥିବା ଉଠାଦୋକାନୀଙ୍କୁ ଥଇଥାନ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ। ନନ୍ଦନକାନନର ସମ୍ପ୍ରସାରଣ ନେଇ ଉନ୍ନୟନ କମିସନଙ୍କ ଅଧ୍ୟକ୍ଷତାରେ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି।