କନକ ବ୍ୟୁରୋ : ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଦେବା ମନା । କୌଣସି ବି ପର୍ଯ୍ୟଟକ ଚିଡ଼ିଆଖାନା ଭିତର ଏନ୍କ୍ଲୋଜରରେ ଥିବା ପଶୁ କିମ୍ବା ପକ୍ଷୀଙ୍କୁ ଖାଦ୍ୟ ଦେଇପାରିବେ ନାହିଁ । ସଫାରିରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଏମିତିକି ଚିଡ଼ିଆଖାନା ଭିତରେ ଥିବା ଖୋଲା ସ୍ଥାନରେ ବି ବନ୍ୟପ୍ରାଣୀଙ୍କୁ ଖାଦ୍ୟ ଖାଇବାକୁ ଦେଇ ହେବ ନାହିଁ । ଯଦି କୌଣସି ପର୍ଯ୍ୟଟକ ଏଭଳି କାର୍ଯ୍ୟ କରୁଥିବା ନଜରକୁ ଆସେ; ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗାଇଡ୍ଙ୍କୁ ଭାଲୁ କାମୁଡ଼ିବା ଘଟଣା ପରେ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆହୁରି କୁହାଯାଇଛି ଯେ ଆଇନ ଅନୁଯାୟୀ ଚିଡ଼ିଆଖାନା ଭିତରେ ବନ୍ୟଜନ୍ତୁଙ୍କୁ ଚିଡ଼ାଇବା, ଥଟ୍ଟା କରିବା, ନିର୍ଯାତନା, ଆଘାତ, ଖାଇବାକୁ ଦେବା କିମ୍ବା ଶବ୍ଦ କରିବା ଦ୍ବାରା ସେମାନଙ୍କ ପାଇଁ ବିଶୃଙ୍ଖଳା ସୃଷ୍ଟି ହେବ । ତେଣୁ ଏଭଳି କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏଥିସହ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ପ୍ରଦାନ ଦ୍ବାରା ସେମାନେ ଆକ୍ରମଣ କରିପାରନ୍ତି କିମ୍ବା ଖାଦ୍ୟ ଦ୍ବାରା ବନ୍ୟପ୍ରାଣୀଙ୍କ କ୍ଷତି ହୋଇପାରେ । କୌଣସି ପର୍ଯ୍ୟଟକ ଏଭଳି କାର୍ଯ୍ୟ ନ କରିବାକୁ ପରାମର୍ଶ ଦିଆଯାଉଛି ।
ନନ୍ଦନକାନନରେ ଗାଇଡ୍କୁ ଭାଲୁ ଆକ୍ରମଣ ଘଟଣାକୁ ବନ ବିଭାଗ ଗୁରୁତ୍ବର ସହ ନେଇଛି । କେବଳ ନନ୍ଦନକାନନ ନୁହେଁ, ବରଂ ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନରେ ନିୟମକୁ କଡ଼ାକଡ଼ି ପାଳନ ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଇଛି । ସ୍ବତନ୍ତ୍ର ତାଲିମପ୍ରାପ୍ତ ଗାଇଡ୍ଙ୍କ ଦ୍ବାରା ହିଁ ପର୍ଯ୍ୟଟକଙ୍କୁ ଭିତରକୁ ଛାଡ଼ିବା ଲାଗି ପରାମର୍ଶ ଦିଆଯାଇଛି । ପର୍ଯ୍ୟଟକ ଯେପରି ହିଂସ୍ର ଜନ୍ତୁଙ୍କ ପାଖକୁ ନ ଯାଆନ୍ତି ସେଥିପ୍ରତି ଗୁରୁତ୍ବ ଦେବା; ବାଘ, ଭାଲୁ, ସିଂହ, ମାଙ୍କଡ଼ ପରି ଜନ୍ତୁଙ୍କ ନିକଟତର ନ ହେବା, ତାର ଜାଲିର ଗୋଟିଏ ମିଟର ଦୂରରେ ରହି ପର୍ଯ୍ୟଟକ ଏନ୍କ୍ଲୋଜର୍ରେ ଥିବା ବନ୍ୟଜନ୍ତୁଙ୍କୁ ଯେପରି ଦେଖନ୍ତି; ତାହାକୁ ସୁନିଶ୍ଚିତ କରିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି । ୨୭ ତାରିଖର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କର୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନନ୍ଦନକାନନ କର୍ତୃପକ୍ଷ ଏକ ଟିମ୍ ଗଠନ କରିଛନ୍ତି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ବି ବୃଦ୍ଧି କରାଯାଇଛି । ପ୍ରତି ଏନ୍କ୍ଲୋଜର ନିକଟରେ ଏକାଧିକ କର୍ମଚାରୀ ନିଯୁକ୍ତି କରିବାକୁ ନିଷ୍ପତ୍ତି ହୋଇଛି ।
ସେପଟେ ନନ୍ଦନକାନନ ଟୟ ଟ୍ରେନକୁ ପୁଣିଥରେ ଚଳାଇବା ଦିଗରେ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ୍ର ମରାମତି ଚାଲିଛି । ଆସନ୍ତା ୭ରୁ ୧୦ ଦିନ ଭିତରେ ଟ୍ରେନ୍କୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟକଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପିସିସିଏଫ (ବନ୍ୟପ୍ରାଣୀ) ଶଶୀ ପଲ୍ କହିଛନ୍ତି ।
Follow Us