ଆଜିଠାରୁ ବନ୍ଦ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ : ମେ’ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି

109

କନକ ବ୍ୟୁରୋ : ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଘୋଷଣା କରାଯାଇଛି । ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବନ୍ଦ ଘୋଷଣା କରିଛନ୍ତି ବୋଲି ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଏବେ ଶନିବାର ଓ ରବିବାର ସପ୍ତାହନ୍ତ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ନିୟମାନୁସାରେ ସୋମବାର ନନ୍ଦନକାନନ ବନ୍ଦ ରୁହେ। ତେଣୁ ଏମିତି‌ରେ ସପ୍ତାହକୁ ମାତ୍ର ଚାରି ଦିନ ନନ୍ଦନକାନନ ଖୋଲା ରହୁଥିଲା । କରୋନା ସଂକ୍ରମଣକୁ ଭୟ କରି ଗତ କିଛି ଦିନ ହେଲା ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବେଶ୍ ହ୍ରାସ ପାଇଥିଲା । ଦୈନିକ ଅତି ବେଶିରେ ୨୦୦ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସୁଥିଲେ ।

ତେଣୁ ଗତ କିଛି ଦିନ ହେଲା ନନ୍ଦନକାନନ ଆର୍ଥିକ ସଂକଟ ଦେଇ ଗତି କରୁଛି । ସାନିଟାଇଜେସନ୍‌ ଓ ଦୈନିକ ମଜୁରିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଖର୍ଚ୍ଚ ବାବଦକୁ ନନ୍ଦନକାନନ ଯେଉଁ ବ୍ୟୟ କରୁଛି, ତାହା ପର୍ଯ୍ୟଟକଙ୍କଠାରୁ ଆଦାୟ ହୋଇପାରୁନାହିଁ । ତେଣୁ କରୋନା ସଂକ୍ରମଣ ରୋକିବା ସହ ଅଯଥା ବ୍ୟୟ ବନ୍ଦ କରିବାକୁ ଏହି ପଦ‌‌କ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି ।