କନକ ବ୍ୟୁରୋ: ରବିବାର ନନ୍ଦନ କାନନର ୬୦ ବର୍ଷ ପୂର୍ତ୍ତି ଅବସରରେ ସାମ୍ନାକୁ ଆସିଛନ୍ତି ବିରଳ କଳାବାଘ । ୨୦୧୮ ଡିସେମ୍ବର ୨୨ ତାରିଖରେ ସେମାନଙ୍କ ଜନ୍ମ ହୋଇଥିଲା । ଏବଂ ବର୍ଷକ ପରେ ଲୋକମାନଙ୍କ ସାମ୍ନାକୁ ଆସିଛନ୍ତି କଳାବାଘ ସ୍ପନ୍ଦନ ଓ ବାସୁ ।
ଲୋକଙ୍କ ସମ୍ମୁଖକୁ ଆସିଲେ ସ୍ପନ୍ଦନ ଓ ବାସୁ । ଚର୍ଚ୍ଚାରେ ଦୁଇ କଳାବାଘ । ରବିବାର ଭାରତର ପ୍ରମୁଖ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଳିଛି ନିଜ ପ୍ରତିଷ୍ଠାର ୬୦ ବର୍ଷ ପୂର୍ତ୍ତି ଉତ୍ସବ । ଏହି ଅବସରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭିତରେ ଏହି ଦୁଇ ନିଆରା ବାଘ ଆସିଛନ୍ତି ଦର୍ଶକଙ୍କ ସାମ୍ନାକୁ । ଏମାନଙ୍କ ନାଁ ସ୍ପନ୍ଦନ ଓ ବାସୁ ରଖିଛନ୍ତି ସାଧାରଣ ଲୋକେ । ବାଘ ସମ୍ରାଟ ଓ ବାଘୁଣୀ ରେଣୁକାର ସନ୍ତାନ ହେଉଛନ୍ତି ଏହି ଦୁଇ କଳାବାଘ । ୨୦୧୮ ଡିସେମ୍ବର ୨୨ ତାରିଖରେ ସେମାନଙ୍କ ଜନ୍ମ ହୋଇଥିଲା ଏବଂ ଶେଷରେ ବୁଧବାର ଦିନ ସେ ଲୋକମାନଙ୍କ ସାମ୍ନାକୁ ଆସିଛନ୍ତି ।
କଳା ବାଘ ବା ମେଲାନିଷ୍ଟିକ୍ ଟାଇଗର । ବାସ୍ତବରେ ଏହା ଜିନ୍ ଜନିତ ତ୍ରୁଟି ଯୋଗୁଁ ବାଘର ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ସାଧାରଣ ବାଘର କଳା ପଟି ଅପେକ୍ଷା ଏପ୍ରକାର ବାଘଙ୍କର କଳା ପଟି ଅଧିକ ଗାଢ ହୋଇଥାଏ । ମାଲାନିନ୍ ନାମକ କଣିକା ଅଧିକ ହେବା ଯୋଗୁଁ ସେମାନଙ୍କ ଦେହରେ କଳା ରଙ୍ଗ ଅଧିକ ସ୍ପଷ୍ଟ ହୋଇଥାଏ । ଜୁଲାଇ ୨୦୧୪ରେ ଦୁଇ କଳାବାଘ ଛୁଆ ଜନ୍ମ ହେବା ପରେ ପୁଣି ଚର୍ଚ୍ଚାରେ ଆସିଥିଲା ନନ୍ଦନକାନନ । ଧଳାବାଘ ପରେ ନନ୍ଦନକାନନର ଗୌରବ କଳାବାଘ । ନନ୍ଦନକାନନ ହିଁ ଏକମାତ୍ର ଚିଡିଆଖାନା ଯେଉଁଟି ଉଭୟ ଧଳା ଓ କଳା ବାଘ ଦେଖିବାକୁ ମିଳନ୍ତି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩-କ ଖୁଆଡରେ ଏବେ ଲୋକଙ୍କ ପାଇଁ ମନୋରଂଜନ କରିବେ ଦୁଇ କଲାବାଘ ସ୍ପନ୍ଦନ ଓ ବାସୁ ।