‘କରୋନା’ ମୁକାବିଲା ପାଇଁ ସତର୍କତା । ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ‘ନନ୍ଦନକାନନ’

ସେପଟେ ଭିଡରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ସତ୍ୱେ କୋଣାର୍କରେ ବିଦେଶୀ ପର୍ଯ୍ୟଟକ

355

କନକ ବ୍ୟୁରୋ: କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା ଯୋଗୁଁ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନକୁ ୧୫ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ମାର୍ଚ୍ଚ ୩୧  ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ।କିନ୍ତୁ, ନନ୍ଦନକାନନର କର୍ମଚାରୀମାନେ ମୁହଁରେ ମାସ୍କ୍‌ ଏବଂ ହାତରେ ଗ୍ଲୋଭ୍‌ସ୍‌ ପିନ୍ଧି ପ୍ରାଣୀମାନଙ୍କର ତତ୍ତ୍ୱ ନେବେ। ଏହାଛଡ଼ା କର୍ମଚାରୀମାନେ ପରସ୍ପର ଠାରୁ ନିରାପଦ ଦୂରତାରେ ରହିବେ। ଆବଶ୍ୟକସ୍ଥଳେ କର୍ମଚାରୀମାନଙ୍କୁ ସେବା ଯୋଗାଇବା ନିମନ୍ତେ ଡାକ୍ତରୀ ଦଳ ପ୍ରସ୍ତୁତ ରହିବେ ବୋଲି ଜଣାପଡ଼ିଛି।

ଦୈନିକ ନନ୍ଦନକାନନକୁ ଭାରତର ବିଭିନ୍ନ ରାଜ୍ୟ ଏବଂ ବିଦେଶରୁ ଅନେକ ପର୍ଯ୍ୟଟକ ଆସୁଥିବାରୁ କରୋନାଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କା ରହିଛି। ସତର୍କତା ଅବଲମ୍ବନ ପାଇଁ କର୍ତ୍ତୃପକ୍ଷ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ସେହିଭଳି କରୋନାଭାଇରସ୍‌ ସଂକ୍ରମଣ ଏଡ଼ାଇବାକୁ ସମ୍ବଲପୁର ଅନ୍ତର୍ଗତ ହୀରାକୁଦ ଠାରେ ଥିବା ରୋପୱେ ମଧ୍ୟ ବନ୍ଦ କରାଯାଇଛି।

ସେପଟେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୌଣସି ସ୍ଥାନରେ ସଭାସମିତି , ସାମାଜିକ କାର୍ଯ୍ୟକ୍ରମ ନକରିବାକୁ ସରକାର ଘୋଷଣା କରିଛନ୍ତି । କୌଣସି ସ୍ଥାନରେ ଶତାଧିକ ଲୋକ ଭିଡ ହେବାକୁ ବାରଣ କରାଯାଇଛି । ଏପରି ସମୟରେ କୋଣାର୍କ ମନ୍ଦିରରୁ ଆସିଛି ଏପରି ଚିତ୍ର , ଯାହାକୁ ଦେଖିଲେ ଆପଣ ବି ଚିନ୍ତା ପ୍ରକଟ କରିବେ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗି ରହିଛି ପର୍ଯ୍ୟଟକଙ୍କ ଭିଡ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବା ପରେ ସାରା ଦେଶରେ ଗ୍ରହଣ କରାଯାଇଛି ସଚେତନତାର ପଦକ୍ଷେପ । ହେଲେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ସଚେତନତାର ସେଭଳି କୌଣସି ପଦକ୍ଷେପ ଦେଖିବାକୁ ମିଳିନି । ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏମାନେ କୋଣାର୍କ ବୁଲିବା ସହ ଅଂଚଳ ବୁଲି ଦେଖୁଛନ୍ତି । ଏପରି ସମୟରେ କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡକୁ ଦେଖି ଆତଙ୍କିତ ହେଲେଣି କୋଣାର୍କ ଅଂଚଳବାସୀ । ଏଏସଆଇ ପକ୍ଷରୁ କୋଣାର୍କରେ କରୋନା ପାଇଁ ସଚେତନମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।