କନକ ବ୍ୟୁରୋ: ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ସବୁ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ସମସ୍ତେ ତତ୍ପର । ହେଲେ ଏବେ ବି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ସମସ୍ୟା ଆଖିକୁ ଜଳଜଳ ହୋଇ ଦେଖାଯାଉଛି, କିନ୍ତୁ ସେମାନଙ୍କ ପାଖର ପହଂଚି ପାରୁନାହିଁ ସରକାରୀ ଯୋଜନା । ସେମିତି ଜଣେ ଅସହାୟ ହିତାଧିକାରୀ କୁଚିଣ୍ଡା ଗୋଛରା ପଂଚାୟତର ଗାଇଆଳ ନନ୍ଦଲାଲ ମହାନନ୍ଦିଆ ।
ଗୁହାଳଠୁ ହୀନ ଘର
ଭଙ୍ଗା କୁଡି଼ଆରେ ଯନ୍ତ୍ରଣା ଜର୍ଜରିତ ଜୀବନ
ଏ ଦୁଃଖ ଜଣେ ଗାଇ ଜଗୁଆଳିଙ୍କର । ଭଙ୍ଗା ଦଦରା ଘର । ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ ସହ ରୁହନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋଛରା ପଂଚାୟତ ହରିଜନ ପଡାର ନନ୍ଦଲାଲ ମହାନନ୍ଦିଆ । ଗାଁରେ ଗାଈ ଚରାଇ ଯାହା ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ, ସରକାରଙ୍କ ତାଲିକାରେ ନନ୍ଦଲାଲ ଗରିବ ନୁହନ୍ତି, କିମ୍ବା ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ନୁହଁନ୍ତି ।
୫ ବର୍ଷ ହେବ ସରକାରୀ ଯୋଜନାରେ ଘରଟିଏ ଓ ଦିବ୍ୟାଙ୍ଗ ଝିଅର ଭତା ପାଇଁ ଗୁହାରି କରି ଆସୁଛନ୍ତି ନନ୍ଦଲାଲ । ହେଲେ ତାଙ୍କ ଗରିବୀପଣକୁ ଦେଖି ପାରୁନାହାନ୍ତି, ସ୍ଥାନୀୟ ସରପଂଚ, ସମିତି ସଭ୍ୟ କି ଗାଁ ସାଥୀ । ଗାଇ ଗୁହାଳ ଠାରୁ ହୀନ ଘରକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠେ । ଜଣେ ଗାଈ ଚରାଳି କଣ ଗରିବ ନୁହେଁ କି? ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସେ ହକଦାର ନୁହେଁ କି ? ଦୟନୀୟ ସ୍ଥିତିରେ ଥିବା ନନ୍ଦଲାଲଙ୍କ ଉପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ନଜର ପଡିନାହିଁ କେମିତି? ନାଁ ସିଏ ହାତଗୁଞା ଦେଇପାରିନାହାଁନ୍ତି ବୋଲି, ଏଯାଏଁ ଘର କି ଝିଅ ପାଇଁ ଭତାଟିଏ ପାଇ ପାରିନାହାଁନ୍ତି । ଯାହାପରେ ନନ୍ଦଲାଲଙ୍କ ଭଳି ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/7-4.jpg)