କନକ ବ୍ୟୁରୋ: ଆଉ ନାହାନ୍ତି ନନ୍ଦ ସାର । ୧୦୨ ବର୍ଷ ବୟସରେ ଶେଷରେ ଆଖିବୁଜିଛନ୍ତି ଶତାୟୁ ଶିକ୍ଷକ । ଚାଟଶାଳୀରେ ଛୋଟ ଛୋଟ ପିଲାଙ୍କୁ ଭବିଷ୍ୟତର ରାସ୍ତା ଦେଖାଉଥିବା ଏହି ଶିକ୍ଷକ ଆଜି ନିସ୍ତବ୍ଧ ପାଲଟି ଯାଇଛନ୍ତି । ଆଉ ଫେରିବେନି ନନ୍ଦ ସାର କି ଆଉ ଖୋଲିବନି ଚାଟଶାଳୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ନନ୍ଦ ସାର । ହେଲେ ଆଜି ସେ ଆରପାରିକୁ ଚାଲିଯାଇଛନ୍ତି ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ ପୃଷ୍ଟି ସାର୍ । ଚାଟଶାଳୀ ଗୁରୁ ଭାବେ ପରିଚିତ ନନ୍ଦ ସାର ୮୨ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି । ନିଜ ଚାଟଶାଳୀରେ ସେ ଗଢୁଥିଲେ ଗୋଟିଏ ପରେ ଗୋଟିଏ ମଣିଷ । କେହି କେହି ତାଙ୍କ ଚାଟଶାଳୀକୁ ମଣିଷ ଗଢା କାରଖାନା ବୋଲି ମଧ୍ୟ କହନ୍ତି ।
ନନ୍ଦ ସାରଙ୍କ ଚାଟଶାଳୀ ଆଉ ତାଙ୍କ ମହାନତା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ପଦ୍ମଶ୍ରୀ ସମ୍ମାନ ପାଇଁ ତାଙ୍କୁ ବାଛିଥିଲେ କେନ୍ଦ୍ର ସରକାର । ଆଉ ନଭେମ୍ବର ୯ ତାରିଖରେ ସେ ରଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ରାଷ୍ଟ୍ରପତି ଭବନରେ ନନ୍ଦ ସାରଙ୍କ ନାଁ ଘୋଷଣା ପରେ ଖାଲି ପାଦରେ ସେ ଚାଲି ଚାଲି ଯିବା ଓ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ ପୂର୍ବରୁ ତାଙ୍କୁ ଆଶୀର୍ବାଦ ଦେବାର ଚିତ୍ର ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।
ପିଲାଙ୍କୁ ପାଠ ପଢାଇ ମଣିଷ କରିବା ଯାହାଙ୍କ ନିଶା, ସମସ୍ତଙ୍କୁ ମଙ୍ଗଳକାମନା କରି ଆଶୀର୍ବାଦ ଦେଉଥିବା ହାତ ରାଷ୍ଟ୍ରପତିଙ୍କ ପାଖରେ କେମିତି ବା ଅଟକି ଯାଇଥାନ୍ତା । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ନନ୍ଦ ସାରଙ୍କୁ ସମ୍ମାନିତ କରିବା ପାଇଁ ରାଷ୍ଟ୍ରପତି ଉଠିବା ମାତ୍ରେ ଦେଶରେ ପ୍ରଥମ ନାଗରିକଙ୍କୁ ଆଶୀର୍ବାଦ ଦେବାକୁ ଆପେ ଆପେ ଉଠିଯାଇଥିଲା ତାଙ୍କ ହାତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/12/49-2.jpg)