ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଲେ ନନ୍ଦ ସାର୍ । ଶତାୟୁ ଚାଟଶାଳୀ ଗୁରୁଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

144

କନକ ବ୍ୟୁରୋ: ପିଲାଙ୍କୁ ପାଠ ପଢାଇ ମଣିଷ କରିବା ଯାହାଙ୍କ ନିଶା, ସମସ୍ତଙ୍କୁ ମଙ୍ଗଳକାମନା କରି ଆଶୀର୍ବାଦ ଦେଉଥିବା ହାତ ରାଷ୍ଟ୍ରପତିଙ୍କ ପାଖରେ ଅଟକି ଯାଇଥାନ୍ତା କେମିତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ନନ୍ଦ ସାରଙ୍କୁ ସମ୍ମାନୀତ କରିବା ପାଇଁ ରାଷ୍ଟ୍ରପତି ଉଠିବା ମାତ୍ରେ ଦେଶରେ ପ୍ରଥମ ନାଗରିକଙ୍କୁ ଆଶୀର୍ବାଦ ଦେବାକୁ ଆପେ ଆପେ ଉଠିଯାଇଥିଲା ତାଙ୍କ ହାତ ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗାଁର ୧୦୨ ବର୍ଷ ବୟସ୍କ ନନ୍ଦ ପୃଷ୍ଟିଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଚାଟଶାଳୀ ଗୁରୁ ଭାବେ ପରିଚିତ ନନ୍ଦ ସାର ୮୨ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ପଦ୍ମଶ୍ରୀ ସମ୍ମାନ ପାଇଁ ବାଛିଥିଲେ କେନ୍ଦ୍ର ସରକାର । ରାଷ୍ଟ୍ରପତି ଭବନରେ ନନ୍ଦ ସାରଙ୍କ ନାଁ ଘୋଷଣା ପରେ ଖାଲି ପାଦରେ ସେ ଚାଲି ଚାଲି ଯିବା ଓ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ ପୂର୍ବରୁ ଆଶୀର୍ବାଦ ଦେବା ଚର୍ଚ୍ଚାରେ ରହିଛି ।

ସେହିପରି ରାସ୍ତାରେ ବୁଲି ବୁଲି ଏକଦା ଟଙ୍କା ମାଗୁଥିବା ଆଉ ପରେ ଏହାକୁ ଛାଡି ନୃତ୍ୟଶିଳ୍ପୀ ପାଲଟିଥିବା ମଜମ୍ମାଙ୍କ ପୁରସ୍କାର ଗ୍ରହଣ କରିବାର ଦୃଶ୍ୟ ବି ଥିଲା ଦେଖିଲା ଭଳି । ପଦ୍ମଶ୍ରୀ ଗ୍ରହଣ କରିବା ଆଗରୁ ସେ ଯେଉଁଭଳି ଭାବେ ଦେଶର ପ୍ରଥମ ନାଗରିକଙ୍କୁ ଆଶୀର୍ବାଦ ଦେଲେ ଆଉ ରାଷ୍ଟ୍ରପତିଙ୍କୁ ଯେଭଳି କାହା ନଜର ନଲାଗିବ, ସେଥିପାଇଁ ଦୃଷ୍ଟି ଝାଡି ଦେଇଥିଲେ, ତାହା ବେଶ ରୋଚକ ହୋଇଥିଲା ।