କନକ ବ୍ୟୁରୋ: ମୃତ୍ୟୁର ମାତ୍ର ଏକ ମାସ ପୂର୍ବରୁ ସାରା ଦେଶ, ଜଣେ ବ୍ୟକ୍ତିଙ୍କ ଅବଦାନକୁ ଚିହ୍ନିଲା, ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କଲା, ଚାରିଆଡେ ସେହି ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ହେଲା, କିନ୍ତୁ ଏହାର ଏକ ମାସ ବି ପୁରିନଥିଲା, ସେହି ବ୍ୟକ୍ତି ଜଣଙ୍କ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ । ସେ ହେଉଛନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ।
ଯାଜପୁରର ଏକ ଗାଁରେ ରହି ଦଶନ୍ଧି ଦଶନ୍ଧି ଧରି ଛୋଟ ପିଲାଙ୍କୁ ଚାଟଶାଳୀରେ ମାଗଣାରେ ପାଠ ପଢାଇ ଆସୁଥିଲେ ନନ୍ଦ ସାର । ଏକମାସ ପୂର୍ବରୁ କେନ୍ଦ୍ର ସରକାର ଏହି ବ୍ୟକ୍ତିଙ୍କ ଅବଦାନକୁ ଚିହ୍ନିପାରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ଏବଂ ସମ୍ମାନ ଗ୍ରହଣ କରିବା ସମୟରେ ନନ୍ଦ ସାର, ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏହାପରେ ଯାଜପୁରର ଏକ ଅଖ୍ୟାତ ପଲ୍ଲି କନ୍ତିରାର ନନ୍ଦ ସାର, ହଠାତ୍ ସାରା ଦେଶରେ ଚର୍ଚ୍ଚାକୁ ଆସିଗଲେ । ନନ୍ଦ ସାରଙ୍କ ଏହି ନିସ୍ୱାର୍ଥ ପର ସେବା ମନୋଭାବ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ନନ୍ଦ ସାର ରାଷ୍ଟ୍ରପତିଙ୍କୁ ଆର୍ଶୀବାଦ କରିବା ଦୃଶ୍ୟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଆଉ ସାରା ଓଡିଶା ନନ୍ଦ ସାରଙ୍କୁ ନେଇ ଗର୍ବ ଅନୁଭବ କରିଥିଲା ।
ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ । ଓଁ ଶାନ୍ତି pic.twitter.com/Wzdh0Z6KVb
— Narendra Modi (@narendramodi) December 7, 2021
ଓଡିଶା କିନ୍ତୁ ଆଜି ତାର ସୁପୁତ୍ରକୁ ହରାଇଦେଇଛି । ପଦ୍ମଶ୍ରୀ ନନ୍ଦ ସାରା ଆଉ ନାହାଁନ୍ତି । କରୋନାରେ ଆକ୍ରାନ୍ତ ହୋଇ ନନ୍ଦ ସାର୍ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦିନ ୧ଟା ୨୮ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ନନ୍ଦ ସାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନନ୍ଦ ସାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ସେହିପରି ନନ୍ଦ ସାରଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ସମସ୍ତ ପ୍ରିୟ ସ୍ୱର୍ଗତ ନନ୍ଦ ସାର ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିବେ ।
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) December 7, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନନ୍ଦ ସାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇ ରହିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ଲେଖିଛନ୍ତି, ବିନା ପାରିଶ୍ରମିକରେ ତିନି ପିଢି ଧରି ନିରବିଚ୍ଛିନ୍ନ ଭାବେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରିଥିବା ନନ୍ଦ ସାରଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକବାର୍ତ୍ତାରେ ଲେଖିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ହେବା ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ତାଙ୍କ ଜୀବନକୁ ଶିକ୍ଷାଦାନ ପ୍ରତି ସେ ସମର୍ପଣ କରିିଲେ ।
ଗତ ୨୮ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ନନ୍ଦ ସାରଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ପରେ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ କିଛି ସୁଧାର ନଆସିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।