କନକ ବ୍ୟୁରୋ : କୃଷକ ଆନ୍ଦୋଳରେ ବଲିଉଡ ଅଭିନେତା ନାନା ପାଟେକରଙ୍କ ଏଣ୍ଟ୍ରି । କୃଷକଙ୍କ ସପକ୍ଷରେ ବାହାରି ନାନା ପାଟେକର କହିଛନ୍ତି, ଚାଷୀ ଭାଇ ମାନେ ଠିକ୍ ନିଷ୍ପତ୍ତି ନେବା ସହ ଠିକ୍ ସରକାର ବାଛନ୍ତୁ । ଚାଷୀ ଏବେ କିଛି ମାଗନ୍ତୁ ନାହିଁ ବରଂ ଏହା ସ୍ଥିର କରନ୍ତୁ ଯେ ଦେଶରେ କାହାର ସରକାର ଆସିବା ଉଚିତ୍ । ଏହାପୂର୍ବରୁ ମଧ୍ୟ ଅନେକଥର ନାନା ପାଟେକର ଚାଷୀଙ୍କ ସମର୍ଥନରେ ବୟାନ ଦେଇଛନ୍ତି ।

ନାନା ପାଟେକର କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ ୫୦%ରେ ପହଞ୍ଚିଲାଣି । ସରକାରଙ୍କ ଠାରୁ କିଛି ମାଗିବା ଦରକାର ନାହିଁ ବରଂ ଚାଷୀ ଭାଇ ସ୍ଥିର କରନ୍ତୁ କାହାକୁ ସରକାରକୁ ଆଣିବେ । ଏହାସହ ରାଜନୀତିରେ ଯୋଗଦାନକୁ ନେଇ ନାନା କହିଛନ୍ତି, ମୁଁ ରାଜନୀତିରେ ଆସିପାରିବି ନାହିଁ । କାରଣ ମୋ ପେଟରେ ଯାହା ମୁହଁରେ ତାହା । ଯେଉଁଥିପାଇଁ ରାଜନୈତିକ ଦଳ ଗୁଡିକ ମୋତେ ଦିନ କେଇଟାରେ ବହିଷ୍କାର କରିଦେବେ । ଆଉ ଏଭଳି ଭାବେ ମାସେ ମଧ୍ୟରେ ସବୁ ପାର୍ଟିରୁ ବହିଷ୍କାର ହୋଇ ସାରିଥିବି । କିନ୍ତୁ ଚାଷୀ ଭାଇଙ୍କ ସାମ୍ନାରେ ହୃଦୟର କଥା କହିପାରିବି । ଯିଏ ଏବେ ଆମକୁ ଖାଦ୍ୟ ଦେଉଛି ତାହା କଥା ବୁଝିବାକୁ କେହି ନାହାନ୍ତି । ତେଣୁ ଆମେ କାହିଁକି ସରକାର କଥା ଚିନ୍ତା କରିବୁ ।

ନାନା ପାଟେକର ସବୁବେଳେ ଚାଷୀ ଆତ୍ମହତ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଚାଷୀମାନେ ଯେପରି ଆତ୍ମହତ୍ୟା ନ କରିବେ ସେଥିପ୍ରତି ବାରମ୍ବାର ସଚେତନତା କରି ଆସୁଛନ୍ତି । ଏଥିପାଇଁ ଏକ ସଂସ୍ଥା ଖୋଲି ଚାଷୀଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି ।