ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ, ପଲିଟିକ୍ସକୁ ଆସିବେ କି ନଳିନୀ?

460

କନକ ବ୍ୟୁରୋ : ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ ନଳିନୀକାନ୍ତ ପ୍ରଧାନ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନଳିନୀ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ନଳିନୀଙ୍କ ଇସ୍ତଫା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ନଳିନୀ ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଇ ପଲିଟିକ୍ସକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ନଳିନୀଙ୍କ ଇସ୍ତଫା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେବା ପରେ ନଳିନୀ ନୂଆ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନରୁ ନଳିନୀ ଆଗାମୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନଳିନୀ ବିଜେଡି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ପୂର୍ବରୁ ଶୁଣିବାକୁ ମିଳୁଥିଲା । ଏପରିକି ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଏକ ପୋଷ୍ଟର ଲାଗିଥିଲା । ଆଉ ଏହାପର ଠାରୁ ନଳିନୀ ନିଜ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ନିର୍ବାଚନ ଲଢିପାରନ୍ତି ବୋଲି ପାୱାର କରିଡରରେ ଆଲୋଚନା ଆରମ୍ଭ ହୋଇଥିଲା ।

ଏମିତିରେ ମଧ୍ୟ ପାୱାର କରିଡରରେ ନଳିନୀ ପ୍ରଧାନଙ୍କ ଲବି ଖୁବ ଶକ୍ତିଶାଳୀ ରହିଛି । ବାରମ୍ବାର ନିଜ ବିଭାଗରେ ଅଘଟଣ ଘଟୁଥିଲେ ମଧ୍ୟ ସରକାର ତାଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଏପରିକି ତାଙ୍କ କାର୍ଯ୍ୟକାଳକୁ ବଢାଇ ମଧ୍ୟ ଦିଆଯାଇଥିଲା । ଯାହା ସଚିବାଳୟର ପାୱାର କରିଡରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦଳୀୟ ପାଣ୍ଠି ଯୋଗାଡ ପାଇଁ ସଚିବଙ୍କୁ ବ୍ୟବହାର କରାଯାଉଥିବା ଅତୀତରେ ବିରୋଧୀ ଅଭିଯୋଗ ଆଣିଥିଲେ । ତେବେ ପୋଷ୍ଟରରେ ବିଜେଡି ନେତାଙ୍କ ନଳିନୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କର ରାଜନୈତିକ ଅଭିଳାଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ନଳିନୀ ରାଜନୀତିରେ ଏଣ୍ଟ୍ରି କରିବେ କି ନାହିଁ ଯଦି କରିବେ କେଉଁ ଦଳକୁ ଯିବେ ସେନେଇ ପୂର୍ତ ସଚିବଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।