ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି ଲିଜ୍, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । 

150

କନକ ବ୍ୟୁରୋ : ନାଲକୋକୁ ଉତ୍କଳ-ଇ କୋଇଲା ଖଣିର ଲିଜ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର । ଏ ନେଇ ଗତ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ପ୍ରାୟ ୫୨୩.୭୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି କୋଇଲା ବ୍ଲକ ଅନିଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ । ଏହି କୋଇଲା ବ୍ଲକରେ ପ୍ରାୟ ୭୦ ନିୟୁତ ଟନ କୋଇଲା ଗଚ୍ଛିତ ଥିବା ଅନୁମାନ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ  ଏଥିରୁ ବାର୍ଷିକ ୨ ନିୟୁତ ଟନ କୋଇଲା ଉତ୍ପାଦନ କରିହେବ।

ଗତ ବର୍ଷ ଏପ୍ରିଲରେ ରାଜ୍ୟ ସରକାର ନାଲକୋକୁ ଉତ୍କଳ -ଡି କୋଇଲା ଖଣି ଲିଜ ପ୍ରଦାନ ଲାଗି ବିଜ୍ଞପ୍ତି ଜାରି କରିଥିଲେ । ଏହି ଖଣି ମଧ୍ୟ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ । ସର୍ବମୋଟ ୧୦୧.୬୮ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ  ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।

ଉଭୟ ଉତ୍କଳ ଡି ଓ ଇ କୋଇଲା ବ୍ଲକ ମିଳିବା ପରେ ନାଲକୋ ପାଖରେ ମୋଟ ୧୭୫ ନିୟୁତ ଟନର ଖନନ ଯୋଗ୍ୟ କୋଇଲା ଖଣି ଉପଲବ୍ଧ ହେବ । ଏହା ଦୀର୍ଘ ମିଆଦୀ ଭିତ୍ତିରେ ନାଲକୋର କୋଇଲା ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ ।