ଏବେ ଇଂଜେକସନ୍ ନୁହେଁ କରୋନା ପାଇଁ ନାଜାଲ ଭ୍ୟାକସିନ  । ପ୍ରସ୍ତୁତ କଲା ଭାରତ ବାୟୋଟେକ୍ । ପରୀକ୍ଷଣ ପାଇଁ ଡିସିଜିଆଇକୁ ମାଗିଲା ଅନୁମତି

153

କନକ ବ୍ୟୁରୋ : କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେଇରେ ଭାରତ ଆଉ ପାଦେ ଆଗକୁ ବଢିଛି । ଭାରତ ବାୟୋଟେକ୍ ନାଜାଲ ଭ୍ୟାକସିନର ପରୀକ୍ଷଣ ପାଇଁ ଡିସିଜିଆଇକୁ ଅନୁମତି ମାଗିଛି । ଯଦି ଏହି ନାଜାଲ ଭ୍ୟାକସିନର ପରୀକ୍ଷଣ ସଫଳ ହେବ ତାହେଲେ ଦେଶକୁ କରୋନା ବିରୋଧୀ ଲଢେଇରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡି ହୋଇଯିବ । ଏହି ଭ୍ୟାକସିନ୍ ଇଂଜେକସନ୍ ଭଳି ଦିଆ ନଯାଇ ନାକରେ ପକାଇବାକୁ ପଡିବ । କୁହାଯାଉଛି କି ଏହା ଟିକା ଠାରୁ ବେସ୍ ପ୍ରଭାବଶାଳୀ ହେବ ।

ଭାରତ ବାୟୋଟେକ୍ ଓ ୱାସିଂଟନ ୟୁନିଭରସିଟି ସହିତ ମିଳିତ ଭାବେ ନାଜାଲ ଭ୍ୟାକସିନ୍ ଉପରେ ରିସର୍ଚ୍ଚ କରି ଏହି ଭ୍ୟାକସିନ ପ୍ରସ୍ତୁତ କରିଛି   । ଏବେ ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମ୍ପାନୀ ଡିସିଜିଆଇ ନିକଟରେ ଆବେଦନ କରିଛି । ପ୍ରାରମ୍ଭରୁ ଏହାର ପରୀକ୍ଷଣ ନାଗପୁର, ଭୁବନେଶ୍ୱର, ପୁନେ ଓ ହାଇଦ୍ରାବଦ ଭଳି ସହରରେ ହେବ ବୋଲି କୁହାଯାଇଛି । ସୂଚନା ମୁତାବକ ଏହି ନାଜାଲ ଭ୍ୟାକସିନର ପରୀକ୍ଷଣ ପାଇଁ ୧୮ ରୁ ୬୫ ବର୍ଷିୟ ଲୋକଙ୍କୁ ସ୍ୱେଚ୍ଛାସେବୀ ଭାବେ ଗ୍ରହଣ କରାଯିବ । କାରଣ ପରୀକ୍ଷଣକୁ ସଫଳତାପୂର୍ବକ ଆଗକୁ ବଢାଯାଇ ପାରିବ ।

ବତ୍ତମାନ ପର୍ଯ୍ୟନ୍ତ ଯେଉଁ ଭ୍ୟାକସିନ ଆସିଛି ବା ଯେଉଁ ୨ ଟି ଭ୍ୟାକସିନକୁ ଭାରତ ମଞ୍ଜୁରୀ ପ୍ରଦାନ କରିଛି । ସେଗୁଡିକ ଇଂଜେକସନ ଆକାରରେ କାନ୍ଧରେ ଦିଆଯିବ । ହେଲେ ନାଜାଲ ଭ୍ୟାକସିନକୁ ନାକରେ ପକାଯିବ । ରିସର୍ଚ୍ଚ କରୁଥିବା ଡାକ୍ତର ମାନେ କହିଛନ୍ତି କି ଭ୍ୟାକସିନର ଇଂଜେକସନ ଠାରୁ ନାଜାଲ ଭ୍ୟାକସିନ ଅଧିକ ପ୍ରଭାବଶାଳୀ । କାରଣ ନାକ ମାଧ୍ୟମରେ ହିଁ ଅଧିକ ଭୂତାଣୁ ମଣିଷର ଶରୀରକୁ ପ୍ରବେଶ କରିଥା’ନ୍ତି । ଏହାସହ ନାକରେ ଭ୍ୟାକସିନ ଦିଆଯିବା ଦ୍ୱାରା ଏହା ଛାତିର ଉପର ଓ ତଳ ଭାଗ ଉପରେ ଶିଘ୍ର ପ୍ରଭାବ ପକାଇ ଭୂତାଣୁକୁ ରୋକିବାରେ ସହାୟକ ହୋଇପାରିବ ।

କହିରଖୁ କି ଏପର୍ଯ୍ୟନ୍ତ ଭାରତରେ ମୁଖ୍ୟତ ୨ ଟି ଭ୍ୟାକସିନକୁ ବ୍ୟବହାରିକ ମଞ୍ଜୁରୀ ମିଳିଛି । ପ୍ରଥମଟି ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋବିସିଲ୍ଡ ଓ ଅନ୍ୟଟି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ । ଏହି ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ଅନୁମାନ କରାଯାଉଛି ।