ନିଜର ହକ୍ ମାଗିବାକୁ ପାଲ୍ୟାମେଣ୍ଟ ଅଭିମୁଖେ ମାଡି ଆସୁଛି ଅନ୍ନଦାତା । ରାସ୍ତାରେ କୀଳା ପୋତି ଅଟକାଇବାକୁ ଚେଷ୍ଟା କରୁଛି ସରକାର

672

କନକ ବ୍ୟୁରୋ : ୨ ବର୍ଷ ତଳେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା ଭାରତର ଚାଷୀ ଆନ୍ଦୋଳନ । ଦୀର୍ଘ ଦିନର ଲଢେଇ, ୮ ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ପରେ ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ହେଲେ ସେତେବେଳେ ଚାଷୀମାନଙ୍କର ଅନ୍ୟାନ୍ୟ ଦାବିକୁ ସରକାର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି । ଚାଷୀମାନେ ଏବେ ପୁଣିଥରେ ସେମାନଙ୍କ ଦାବି ବାବଦରେ ସରକାରଙ୍କୁ ଚେତାଇ ଦେବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ମହାରାଷ୍ଟ୍ରରୁ ହଜାର ହଜାର ଚାଷୀ ସଂସଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ସେପଟେ ବିଶାଳ ରାଲିକୁ ଦେଖି ସରକାର ଛାନିଆ । ୨୦୨୧ ମସିହାରେ ଚାଷୀ ଦିଲ୍ଲୀରେ ପ୍ରବେଶ କରିବା ପରେ ସରକାରଙ୍କୁ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଦେଇଥିଲେ । ଏହାକୁ ନଜରରେ ରଖି ସରକାର ଏଥର ୨୦୨୧ ରେ କରିଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ହରିଆଣାରୁ ଆସୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ସିମେଣ୍ଟରେ ବ୍ୟାରିକେଡ, ସଡକ ଉପରେ ଲୁହାର କୀଳା ପୋତିବା ସହ ବହୁ ସଂଖ୍ୟାର ପୋଲିସ ଫୋର୍ସ ମୁତୟନ କରିଛନ୍ତି । ଏହାସହ ଶନିବାର ଦିନ ମହାରାଷ୍ଟ୍ରର ୭ ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହ ହ୍ୱାଟସପ୍ ଗ୍ରୁପ ଉପରେ କଡା ନଜର ରଖିଛନ୍ତି । କୃଷକମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଶଷ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ସହ ଅନେକ ଗୁଡିଏ ଦାବି ନେଇ ପାଲ୍ୟାମେଣ୍ଟ ମାର୍ଚ୍ଚରେ ବାହାରିଛନ୍ତି ।

  • ଚାଷୀଙ୍କୁ ଅଟକାଇବାକୁ ସରକାରଙ୍କ ପ୍ରୟାସ
  • ଋବିବାର ସକାଳ ୬ଟାରୁ ୧୩ ତାରିଖ ରାତି ୧୧.୩୦ ଯାଏ ହରିଆଣାର ୭ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ
  • ରୁଟ୍ ଡାଇଭର୍ସନ ସହ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
  • ପଞ୍ଜାବ ସମେତ ହରିଆଣାକୁ ଲାଗିଥିବା ସମସ୍ତ ସୀମାରେ ବଡ ବଡ ସିମେଣ୍ଟ ବ୍ୟାରିକେଡ ଓ କଣ୍ଟାଯୁକ୍ତ ତାରବାଡ
  • ହରିଆଣାର ଅନେକ ଜିଲ୍ଲାରେ ୧୪୪ ଧାରା ଲାଗୁ ସହ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ନିୟୋଜିତ
  • ଶୁକ୍ରବାର ଠାରୁ ହରିଆଣା-ପଞ୍ଜାବ ସୀମା ଓ ଦିଲ୍ଲୀକୁ ଆସୁଥିବା ସମସ୍ତ ଯାନବାହାନ ବନ୍ଦ କରାଯାଇଛି ।