ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ବିଦା ହେଲେ ନାଗେଶ୍ୱର ରାଓ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇଥିଲେ ନାଗେଶ୍ୱର

159

କନକ ବ୍ୟୁରୋ : ସାପ-ସିଡି ଖେଳ ଭଳି ହେଲା ବରିଷ୍ଠ ଆଇପିଏସ୍ ଅଫିସରଙ୍କ କ୍ୟାରିୟର । ଏକଦା ମୋଦୀ ସରକାରଙ୍କ ପସନ୍ଦର ଆଇପିଏସ୍ ଅଫିସର ଥିବା ଏମ୍ ନାଗେଶ୍ୱର ରାଓଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଜାନୁଆରୀ ମାସରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ କରିଥିବା କେନ୍ଦ୍ର ସରକାର, ମାତ୍ର ଛଅ ମାସ ପରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପଦରୁ ଏମ୍ ନାଗେଶ୍ୱର ରାଓଙ୍କୁ ହଟାଇ ଦେଇଛନ୍ତି । ୧୯୮୬ ବ୍ୟାଚର ଏହି ଓଡ଼ିଶା କ୍ୟାଡର ଆଇପିଏସଙ୍କୁ ମିଳିଛି କେନ୍ଦ୍ର ଗୃହମନ୍ତ୍ରାଳୟ ଅଧୀନରେ ଥିବା ଅଗ୍ନିଶମ, ସିଭିଲ୍ ଡିଫେନ୍ସ ଓ ହୋମଗାର୍ଡ ଡିଜିର ଦାୟିତ୍ୱ ।

ଯେଉଁଭଳି ଭାବେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇ ଅଗ୍ନଶମ ବିଭାଗ ଡିଜି କରାଯାଇଥିଲା, ସେହିଭଳି ଭାବେ ନାଗେଶ୍ୱରଙ୍କୁ ମଧ୍ୟ ମିଳିଛି ଏକା ଦାୟିତ୍ୱ । ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେବା ପରେ ତିନି ଜଣ ସିନିୟର ଅଫିସରଙ୍କୁ ଅଣଦେଖା କରି ଏମ୍ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ ମୋଦୀ ସରକାର ।

ଦୁଇ ଦୁଇ ଥର ଅନ୍ତରୀଣ ନିର୍ଦ୍ଦେଶକ ହୋଇ ସିବିଆଇର ସର୍ବେସର୍ବା ବନିଥିଲେ ଏହି ବରିଷ୍ଠ ପୋଲିସ ଅଧିକାରୀ । ତେବେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ନାଗେଶ୍ୱର ହୋଇଛନ୍ତିି ସିବିଆଇ ପାଇଁ ଅଲୋଡ଼ା । ଏମ୍ ନାଗେଶ୍ୱର ରାଓ ଥିଲେ ସିବିଆଇର ଅନ୍ୟତମ ପ୍ରଭାବଶାଳୀ ଅଫିସର । ତାଙ୍କର କ୍ୟାରିୟର ଯେମିତି ଆଗକୁ ଗତି କରୁଥିଲା, ସେହିପରି ଅନେକ ବିବାଦ ମଧ୍ୟ ତାଙ୍କର ପିଛା କରୁଥିଲା ।

ବିହାର ମୁଜାଫରପୁର ସେଲଟର ହୋମରେ ହୋଇଥିବା ଯୌନ ନିର୍ଯାତନାର ତଦନ୍ତ କରୁଥିବା ଅଧିକାରୀଙ୍କୁ ହଟାଇବା ଘଟଣାରେ ସୁପ୍ରିମକୋର୍ଟ ଭତ୍ସନା କରିଥିଲେ । ଏହା ସହ ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ । ଏଥିପାଇଁ ଉଚ୍ଚତମ ନ୍ୟାୟଳୟରେ ନିସର୍ତ କ୍ଷମାପ୍ରାର୍ଥନା କରିଥିଲେ ଏହି ଆଇପିଏସ୍ ଅଧିକାରୀ । ତେବେ ଏହି କ୍ଷମାପ୍ରାର୍ଥନାକୁ ଗ୍ରହଣ ନକରି ନାଗେଶ୍ୱର ରାଓ ଓ ଅନ୍ୟଜଣେ ଅଫିସରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେବା ସହ କୋର୍ଟର ଏକ କୋଣରେ ଗୋଟିଏ ଦିନ ବସାଇ ଦେଇଥିଲେ ସୁପ୍ରିମକୋର୍ଟ । ସେହିପରି ଶାରଦା ଚିଟ୍ ଫଣ୍ଡ ମାମଲାର ତଦନ୍ତରେ ତାଙ୍କର ଭୂମିକା ନେଇ କଡ଼ା ସମାଲୋଚନା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।