ଚାଉଳ ପାଇଁ ୨୦ କିଲୋମିଟର ଚାଲିଲେ ନଗଡ଼ା ଛାତ୍ରଛାତ୍ରୀ : ଦେଓଗାଁ ପ୍ରାଥମିକ ସ୍କୁଲରୁ ମୁଣ୍ଡରେ ଚାଉଳ ମୁଣ୍ଡାଇ ଗାଁକୁ ଫେରିଲେ ପିଲା

ପାଦରେ ନଥିଲା ଜୋତା, ସକାଳ ୭ରୁ ଯାଇ ଦିନ ୪ଟାରେ ଭୋକ ଉପାସରେ ଘରକୁ ଆସିଲେ ଛାତ୍ରଛାତ୍ରୀ

49

କନକ ବ୍ୟୁରୋ : ଚାଉଳ ପାଇଁ ୨୦ କିଲୋମିଟର ଚାଲିଲେ ନଗଡ଼ା ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପ୍ରତିବଦଳରେ ସ୍କୁଲରେ ମିଳୁଥିବା ଚାଉଳ ପାଇଁ ୨୦ କିଲୋମିଟର ଚାଲିବାକୁ ପଡ଼ିଛି । ନଗଡ଼ାରୁ ୧୦ କିଲୋମିଟର ଦୂର ସାତକୁଲିଆ ପାହାଡ ତଳେ ଥିବା ଦେଓଗାଁ ପ୍ରାଥମିକ ସ୍କୁଲରୁ ପିଲାମାନେ ମୁଣ୍ଡରେ ଚାଉଳ ବୋହି ଗାଁକୁ ଫେରୁଥିବା ଦେଖିବାକୁ ମିଳିଛି । ୧୦ କିଲୋମିଟର ଚାଲି ଚାଲି ଯାଇଥିଲେ, ପୁଣି ୧୦ କିଲୋମିଟର ଚାଲି ଚାଲି ଘରକୁ ଫେରିଥିଲେ । ନଗଡ଼ା ଓ ଗୁହିଆଶାଳ ସ୍କୁଲରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାକୁ ପିଲାମାନେ ଦେଓଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆସିଥାନ୍ତି । ପ୍ରଥମ ପର୍ଯ୍ୟାୟରେ ନଗଡା ଓ ଗୁହିଆଶାଳ ମୌଜାର ୨୪ ଜଣ ଛାତ୍ରଛାତ୍ରୀ ଏବଂ ପରବର୍ତୀ ସମୟରେ ତୁମୁଣିର ଛାତ୍ରଛାତ୍ରୀମାନେ ଚାଉଳ ଆଣିବାକୁ ଦେଓଗାଁ ଯାଇଥିଲେ । କିଛି ପିଲାଙ୍କ ପାଦରେ ଜୋତା ନଥିବାରୁ ରାସ୍ତାରେ ଚାଲିବାରେ କଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଚାଉଳ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ସକାଳ ୭ଟାରୁ ଯାଇ ଦିନ ୪ଟାରେ ଭୋକ ଉପାସରେ ଫେରିଥିଲେ । ଚଳିତ ବର୍ଷ ଦେଓଗାଁ ସ୍କୁଲରେ ନଗଡାରୁ ୧୬, ତୁମୁଣିରୁ ୨୮ ଓ ଗୁହିଆଶାରୁ ୯ ଜଣ ଛାତ୍ରଛାତ୍ରୀ ପଢୁଥିବା ଜଣାପଡ଼ିଛି ।