କାନ୍ଦୁଛି ଆଜି ମୁଁ କାଳିଆ ପାଇଁ… ଭକ୍ତ-ଭଗବାନ ମଝିରେ ଭୂତାଣୁ କରିଛି ପାଚେରୀ । ଭାବବିନୋଦିଆକୁ ଦେଖିନପାରି ଭାବର ଲୁହ ଢାଳୁଛି ଭକ୍ତ । ଦରଶନ ଦିଅ ପ୍ରଭୁ ଦରଶନ ଦିଅ… ତୁମ ଦୁର୍ଲଭ ବେଶ ଦର୍ଶନରୁ କାହିଁକି ବଞ୍ଚିତ କଲ କୁହ…
କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ବିରଳ ଯୋଦ୍ଧା ବେଶ, ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଏହି ବେଶରେ ସଜେଇ ହେଉଛନ୍ତି । କିନ୍ତୁ କରୋନା କଟକଣା ଯୋଗୁଁ ଏହି ବେଶର ଦର୍ଶନରୁ ବଂଚିତ ହୋଉଛନ୍ତି ଭକ୍ତ । ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରିଚକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି । ରାତି ୨ଟାରୁ ଆଜି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୧୪୪ ଧାରା ଜାରି ସମୟରେ ପତିତପାବନ ଦର୍ଶନରୁ ବଂଚିତ ରହିବେ ଭକ୍ତ । ଅର୍ଥାତ୍ ସିଂହଦ୍ୱାର ନିକଟକୁ ଅନୁମତି ପ୍ରାପ୍ତ ବ୍ୟକ୍ତି ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦ୍ୱାରଫିଟା ନୀତି ପୂର୍ବରୁ ସିଂହଦ୍ୱାର ଠାରୁ ହରଚଣ୍ଡି ସାହି ପର୍ଯ୍ୟନ୍ତ ରାସ୍ତାକୁ ସଫା କରିବା ସହ ଶୋଧ କରାଯାଇଛି । ଶୁଭମୁହୁର୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ । ତିନି ପ୍ଲାଟୁନ ପୋଲିସ ଫୋର୍ସଙ୍କ ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କ ବେଶ ସାମଗ୍ରୀ ମନ୍ଦିରକୁ ଅଣାଯାଇଛି । ଏବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଅନ୍ୟପଟେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ଭକ୍ତ ନିଷିଦ୍ଧାଂଚଳ ବାହାରେ ରହି ଶ୍ରୀମନ୍ଦିରର ଦର୍ଶନ କରୁଛନ୍ତି । ଭକ୍ତର ଭାବ ଏମିତି ଯେ ମହାପ୍ରଭୁଙ୍କ ଆକୁଳ ପ୍ରାର୍ଥନା କଲା ବେଳେ ଆଖିରେ ଆନନ୍ଦାଶ୍ରୁ ଝରିଯାଉଥିବା ଦେଖିବାକୁ ମିଳିଛି । ଶେଷଥର ପାଇଁ ୧୯୯୪ ମସିହାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।