ନାଗାଲାଣ୍ଡରେ ଉଗ୍ର ହେଉଛି ଯବାନ-ଜନତା ହିଂସା : ମୁନ ଜିଲ୍ଲାରେ ୧୪୪ ଧାରା ଜାରି, ଇଂଟରନେଟ ସେବା ବନ୍ଦ

ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

148

କନକ ବ୍ୟୁରୋ : ନାଗାଲାଣ୍ଡରେ ଯବାନ-ଜନତାଙ୍କ ମଧ୍ୟରେ ହିଂସାକାଣ୍ଡ ଉଗ୍ରରୂପ ନେଇଛି । ପୁଲିସ ଗୁଳିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ମୁନ ଜିଲ୍ଲାରେ ଥିବା ଆସାମ ରାଇଫଲର କ୍ୟାମ୍ପରେ ଭଙ୍ଗାରୁଜା କରି ଜାଳି ଦେଇଛନ୍ତି ଉତ୍ୟକ୍ତ ଜନତା । ଶ୍ରମିକଙ୍କୁ ଗୁଳି କରିଥିବା ଯବାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ୟକ୍ତ ଲୋକେ ମୁନ ଜିଲ୍ଲାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି କରାଯାଇଛି ।

ମୁନ ଜିଲ୍ଲାରେ ଆଇନଶୃଙ୍ଖଳା ରକ୍ଷା ସହ ଗୁଜବ ପ୍ରଚାରକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ମୋବାଇଲ ଇଂଟରନେଟ ସେବା ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ ନାଗାଲାଣ୍ଡର ମୋନ୍ ଜିଲ୍ଲା ତିରୁ ଗାଁ ଦେଇ ଏକ ପିକ୍ଅପରେ ସାଧାରଣ ଲୋକ ଯାଉଥିଲେ । କୋଇଲା ଖଣିରେ କାମ କରୁଥିବା ଏହି ଶ୍ରମିକଙ୍କୁ ଉଗ୍ରବାଦୀ ଭାବି ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହେବା ସହ କେତେକ ଗୁରୁତର ହୋଇଛନ୍ତି । ଏହାକୁ ନେଇ ଉତ୍ୟକ୍ତ ଲୋକେ ସେନାର ଏକ ଗାଡି ପୋଡି ଦେଇଥିଲେ । ଏଥିରେ ଜଣେ ଯବାନଙ୍କ ଜୀବନ ଯାଇଥିବା ଜଣାପଡିଛି ।

ସେପଟେ ଗୁଳିକାଣ୍ଡ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ । ସେପଟେ ସେନା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କୋର୍ଟ ଅଫ୍ ଇନକ୍ୟୁରି ଅର୍ଡର ଦେଇଛି । ଘଟଣା ଉଗ୍ରରୂପ ନେଉଥିବାରୁ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏଥିରେ ଦୁଃଖ ପ୍ରକାଶ କରି ଟୁଇଟ୍ କରିଛନ୍ତି ।