ନାଗାଲାଣ୍ଡରେ ସୁରକ୍ଷା କର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହିଂସା, ୬ ନାଗରିକ ମୃତ

121

କନକ ବ୍ୟୁରୋ : ଭାରତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡରେ ଶନିବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏହି ଘଟଣା କ୍ରମରେ ହୋଇଥିବା ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ ୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବୃଦ୍ଧିପାଇପାରେ ବୋଲି ଅନୁମାନ କରାଯାଉଛି । ଗୁଳିକାଣ୍ଡ ପରେ କିଛି ଗାଡି ଜଳୁଥିବାର ଚିତ୍ର ଦେଖିବାକୁ ମିଳିଛି । ଏଭଳି ଘଟଣା ନାଗାଲାଣ୍ଡର ମୋନ ଜିଲ୍ଲା ଆଟିଙ୍ଗ ଠାରେ ଘଟିଛି । ରିପୋର୍ଟ ମୁତାବକ ଗୁଳିକାଣ୍ଡ ପରେ ଉତ୍ୟକ୍ତ ଗ୍ରାମବାସୀମାନେ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ଏହି ଘଟଣା ପରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଏହି ଘଟଣାର ଯାଂଚ ପାଇଁ ମୁଖ୍ୟମନ୍ତ୍ରୀ ଏକ ଏସଆଇଟି ଟିମ୍ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ଏହି ଘଟଣାକୁ ନିନ୍ଦା କରିଛନ୍ତି ।
ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ବ୍ୟକ୍ତ କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି ନାଗାଲାଣ୍ଡର ଓଟିଙ୍ଗରେ ଘଟିଥିବା ଘଟଣାରେ ପ୍ରାଣ ହରାଇଥିବା ନାଗରିକଙ୍କ ପରିବାରକୁ ସମବେଦନା ଜଣାଉଛି   ।

କହିରଖୁ କି କୌଣସି ଏକ କାରଣକୁ ନେଇ ନାଗାଲାଣ୍ଡ ମୌନ ଜିଲ୍ଲାର ଓଟିଙ୍ଗ ଠାରେ ସାଧାରଣ ଲୋକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହିଂସା ଦେଖା ଦେଇଥିଲା । ଏଥିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନାଗରିକ ଗୁରୁତର ହୋଇଛନ୍ତି । ଏହାପରେ ସ୍ଥାନୀୟ ଲୋକମାନେ ସୁରକ୍ଷା କର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ ।