ବଦଳିଛି ନଗଡ଼ାର ନଗ୍ନ ନକ୍ସା ! ହେଲେ ଏବେ ବି ଅବହେଳିତ ଭାବେ ଜୀବନ ବିତାଉଛନ୍ତି ଜୁଆଙ୍ଗ ଆଦିବାସୀ

48

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଭୋକର ଭୁଗୋଳ ନଗଡା ଏବେ ଇତିହାସ । ଅପହଂଚ ଇଲାକା ଭାବେ ପରିଚିତ ଏହି ଇଲାକାକୁ ଏବେ ପଥର ଝରଣା ଡେଇଁ ଯିବାକୁ ପଡୁନି । ନଗଡା ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ଯାଇଛି ଚାରିଚକିଆ ଯାନ । ଝାଟି ମାଟିର ଘର ବଦଳରେ ଠିଆ ହୋଇଛି କୋଠାଘର । ନଗଡାର ନଗ୍ନ ନକ୍ସାକୁ ପରିବର୍ତନ କରାଯାଇ ଏଠାକାର ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚାଲିଛି ଉଦ୍ୟମ । ହେଲେ ଏବେ ବି ଯାଜପୁର ଜିଲ୍ଲାର ଏହି ଅପହଂଚ ଇଲାକାର ଲୋକ କେତେକ କ୍ଷେତ୍ରରେ ଅବହେଳିତ ଜୀବନ ବିତାଉଛନ୍ତି ।

୨୦୧୬ ମସିହା ଅଗଷ୍ଟ ମାସରେ ସମଗ୍ର ଦେଶରେ ଭୋକର ଭୂଗୋଳକୁ ନେଇ ଚର୍ଚ୍ଚାକୁ ଆସିଥିଲା ଯାଜପୁରର ନଗଡା । ଉପର, ମଝି ଏବଂ ତଳ ନଗଡାରେ ଅପପୃଷ୍ଟିରେ ୧୯ ଶିଶୁଙ୍କ ମୃତ୍ୟୁ ପରେ ପାହାଡ ଉପରେ ପହଂଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ଏହାରି ଭିତରେ ଅପପୃଷ୍ଟିକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମାନସୀ ମୃତ୍ୟୁର କୋଳରେ ଶୋଇ ସାରିଛି । ଆଉ ଅପହଂଚ ଇଲାକାରେ ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ନଗଡାର ଜୁଆଙ୍ଗ ଆଦିବାସୀଙ୍କ ଜୀବନଶୈଳୀରେ ପରିବର୍ତନ ଆସିଛି । ଝାଟି ମାଟି ଘର ବଦଳରେ ପାହାଡ ଉପରେ କୋଠା ଘର ନିର୍ମାଣ କରାଯାଉଛିା

ପ୍ରଶାସନ ଏକ ମଡେଲ ଭିଲେଜ କହୁଥିବା ନଗଡାର ବାସ୍ତବ ଚିତ୍ର କିନ୍ତୁ ଟିକେ ଭିନ୍ନ । ବିଜୁ ପକ୍କା ଘର ନିର୍ମାଣ ଶେଷ ହୋଇନଥିବା ବେଳେ ଦିନକୁ ପିଇବା ପାଣି ମାତ୍ର ଘଂଟାଏ ଆସିଲେ ବାକି ସମୟ ବନ୍ଦ । ପୂର୍ବରୁ ପୋଡୁଚାଷ କରି ଜୀବିକା ନିର୍ବାହ କରୁଥିଲେ ନଗଡା ବାସିନ୍ଦା । ସରକାର ପୋଡୁଚାଷ ବନ୍ଦ କରି ଦେବାରୁ ପନିପରିବା ଚାଷ ହୋଇପାରୁନଥିବା ଫଳରେ ପରିବାର ଭରଣ ପୋଷଣରେ ଅସୁବିଧା ହେଉଥିବା କହୁନ୍ତି ଜୁଆଙ୍ଗ ଆଦିବାସୀ । ସେପଟେ ନଗଡ଼ାବାସୀଙ୍କ ପାଇଁ ଆଗକୁ ଆହୁରି ଯୋଜନା ଥିବା କହିଛନ୍ତି ଜିଲ୍ଲାପାଳ । ଭୋକର ଭୁଗୋଳ ନଗଡାରେ ଖାଦ୍ୟାଭାବରୁ ଅନେକ ନିରିହ ଶିଶୁ ପ୍ରାଣ ହରାଇଥିବା ବେଳେ ଆଗକୁ ଏହାର ବାସ୍ତବ ଚିତ୍ର କେବେ ବଦଳିବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।