ନଗଡ଼ାରେ ବଦଳୁନି ଭୋକର ଭୂଗୋଳ । ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ ।

196

କନକ ବ୍ୟୁରୋ : ମାଳ ମାଳ ଯୋଜନା ଓ ସଚେତନତା ସତ୍ତ୍ବେ ନଗଡ଼ାରେ ବଦଳୁନି ଭୋକର ଭୂଗୋଳ । ଏବେ ବି ଅଧିକାଂଶ ଜୁଆଙ୍ଗ ପରିବାରରେ ପାରମ୍ପରିକ ଭାତ-ଲୁଣ କିମ୍ବା ଭାତ-ଶାଗ ପ୍ରଧାନ ଖାଦ୍ୟ ହୋଇ ରହିଛି । ନଗଡ଼ା ଶିଶୁ ପେଜ ତୋରାଣିକୁ ପସନ୍ଦ କରୁଛି । କେହି କେହି ଲୁଣ ଓ ପିଆଜକୁ ସମ୍ବଳ କରିଥି‌ବାବେଳେ ଏବେ ଏହାର କିଲୋ ପ୍ରତି ଦର ଏଠି ୬୦ ଟପି ଯାଇଛି । ଫଳରେ, ନଗଡ଼ାରେ ଖାଦ୍ୟ ଥାଳିରୁ ପିଆଜ ଉଭାନ୍ ହୋଇଯାଇଛି । ଏଭଳି ଦୁଃସ୍ଥିତିରେ ଜଙ୍ଗଲି ଆଳୁ ମିଳିଗଲେ ବେଶ୍‌ ଖୁସି ହେଉଛନ୍ତି ଜୁଆଙ୍ଗ ।

ନଗଡ଼ାରେ ଲୋକଙ୍କ ଚଳଣିରେ ଯେ କିଛି ପରିବର୍ତ୍ତନ ହୋଇନାହିଁ, ସେଠାକୁ ବିଭିନ୍ନ ସମୟରେ ଯାଇଥିବା ସାମାଜିକ କର୍ମୀମାନଙ୍କ ନିକଟରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଗତ ୩୧ ତାରିଖ ନଗଡ଼ା ସ୍ଥିତି ପରଖିବା ପାଇଁ ରାଇଟ୍‌ ଟୁ ଫୁଡ୍‌ କ୍ୟାମ୍ପେନର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସେଠାକୁ ଯାଇଥିଲେ । ସେମାନଙ୍କର କହିବା ଅନୁଯାୟୀ, ସେମାନେ ଯେଉଁଦିନ ଯାଇଥିଲେ ମଝି ନଗଡ଼ା ବସ୍ତିର ଶିକର ପ୍ରଧାନଙ୍କ ପତ୍ନୀ ମଙ୍ଗୁଳି, ତାଙ୍କ ରୋଗଣା ଝିଅ ରଇବାରୀ(୧୩), ପଡ଼ିଶା ଘର ବୋହୂ ଲକ୍ଷ୍ମୀ ଜଙ୍ଗଲି ଆଳୁକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ଗାଁ ପାଖ ବଣ ଜଙ୍ଗଲ ବୁଲି ବୁଲି ଏକ କିଲୋଗ୍ରାମ ପାଖାପାଖି ଆଳୁ ସଂଗ୍ରହ କରିବାକୁ ସେମାନଙ୍କୁ ଓଳିଏ ଲାଗି ଯାଇଥିଲା । ସମାନ ପରିସ୍ଥିତି ତାଙ୍କ ପଡ଼ୋଶୀ ବାଟୁଆ ପ୍ରଧାନ, ଗଣପତି ପ୍ରଧାନ, ବୁଧିଆ ପ୍ରଧାନ, ଦୁକନ ପ୍ରଧାନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଥିଲା ।

ସେହିଭଳି, ତଳ ନଗଡ଼ାର ଶୁକ୍ରୁ ଓ ଗୋବିନ୍ଦ ପ୍ରଧାନଙ୍କ ଝିଅ ସମ୍ବାରି(୧ ବର୍ଷ), ସାଧବାଣୀ ଓ ଧନେଶ୍ବର ପ୍ରଧାନଙ୍କ ଝିଅ ମାଳତୀ(୧୪ ମାସ), ଆନ୍ଦାରି ଓ ବିକ୍ରମ ପ୍ରଧାନଙ୍କ ପୁଅ ଦେବାନନ୍ଦ( ୧ବର୍ଷ), ମଝି ନଗଡ଼ାର ଲକ୍ଷ୍ମୀ ଓ ସୁନିଆଁ ପ୍ରଧାନଙ୍କ ଝିଅ କାଠି(୧୧ ମାସ) ଏବଂ କନ୍ଥୁଲି ଓ ଗଣପତି ପ୍ରଧାନଙ୍କ ପୁଅ ମାଧିଆ(୩ବର୍ଷ) ଓ ଝିଅ ସୁବୁନି( ୧ ବର୍ଷ) କୁପୋଷଣର ଶିକାର ହୋଇଥିବା ଅନ୍ୟ ଏକ ଅଭିଯୋଗରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ନଗଡ଼ାର ୬୧ଟି ପରିବାର ମଧ୍ୟରୁ ୫୫ ପରିବାର ଅଗଣାରେ ପାକଶାଳା ଉଦ୍ୟାନ ନାହିଁ । ଅଧିକାଂଶ ନଗଡ଼ାବାସୀ ଉଦ୍ୟାନ କୃଷି ପ୍ରତି ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି । ବାଡ଼ି ବଗିଚାରେ ଅମୃତ ଭଣ୍ଡା କିମ୍ବା କଦଳୀ ଗଛ ଥିଲେ ମଧ୍ୟ ନଗଡ଼ାବାସୀ ନିଜ ରୋଷେଇରେ ଏହାକୁ ବ୍ୟବହାର କରୁନାହାନ୍ତି । ସେହିପରି ଏବେ ବି ଅଧିକାଂଶ ପରିବାରରେ ରୋଜଗାର ସମସ୍ୟା ରହିଛି । ଦୈନିକ ୩ ରୁ ୪ ଥର ଭାତ ଖାଇଲା ବେଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ରାସନ ଚାଉଳ ଦୁଇ ସପ୍ତାହ ଭିତରେ ସରି ଯାଉଛି ବୋଲି ଅଧିକାଂଶ ନଗଡ଼ାବାସୀ ଅଭିଯୋଗ କରନ୍ତି । ତା’ ଛଡ଼ା ଏଠି ଅନିୟନ୍ତ୍ରିତ ସନ୍ତାନ ଜନ୍ମ କାରଣରୁ ପ୍ରତିବର୍ଷ ଅଧିକାଂଶ ପରିବାରରେ ନବଜାତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଉତ୍କଟ ଖାଦ୍ୟ ସମସ୍ୟା କାରଣରୁ ନିଜ ନିଜର ସନ୍ତାନଙ୍କ ଭବିଷ୍ୟତ ଚିନ୍ତା କରୁଥିବାର ନଜିର ନାହିଁ ।

ତତ୍କାଳୀନ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ରଙ୍ଗଲାଲ୍‌ ଜାମୁଡ଼ା ଗତ ୨୦୧୭ ମସିହା ମାର୍ଚ ମାସ ୩ ତାରିଖ, ୨୦୧୮ ମସିହା ଜାନୁଆରି ମାସ ୧୨ ତାରିଖ ଓ ସେପ୍ଟେମ୍ବର ମାସ ୨୫ ତାରିଖ ତିନି ତିନିଥର ନଗଡ଼ା ଗସ୍ତ କରି ସ୍ଥିତି ପରଖିବା ସହ ଏଠାରେ ଆଧୁନିକ ଗୋଷ୍ଠୀକୃଷି, ଉଦ୍ୟାନ କୃଷି ଓ ଜୀବନ ଜୀବିକା ଉପରେ ଗୁରୁତ୍ବାରୋପ କରିଥିଲେ । ତେବେ ତାଙ୍କ ପରାମର୍ଶ ଗ୍ରହଣ କରିବା କିମ୍ବା ନିର୍ଦେଶନାମାକୁ ଅନୁପାଳନ କରାଇବା ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ବ୍ଳକ୍‌ ପ୍ରଶାସନ ସାମାନ୍ୟତମ ଆଗ୍ରହ ପ୍ରକାଶ କରିନଥିବା ସାଧାରଣରେ ଅଭିଯୋଗ ହୋଇଛି । ଯାହାକି ନଗଡ଼ା ସମସ୍ୟାକୁ ସମାଧାନ କରାଇବା ଦିଗରେ ପ୍ରତିବନ୍ଧକ ସାଜିଛି ।