ସାମ୍ନାକୁ ଆସିଲା ରାୟଗଡ଼ାର ‘ନଗଡ଼ା’ । ଅପପୁଷ୍ଟିର ବିକଳ ଚିତ୍ର, କୁପୋଷଣ ଯୋଗୁଁ ଅକାଳରେ ମା’ ଓ ଶିଶୁଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ।

176

କନକ ବ୍ୟୁରୋ : ଯାଜପୁର ନଗଡାର ଚିତ୍ର ଏଯାଏଁ ଓଡିଶା ମନରୁ ଲିଭି ନଥିବା ବେଳେ ସାମ୍ନାକୁ ଆସିଛି ରାୟଗଡାର ନଗଡା ଚିତ୍ର । ଅପପୁଷ୍ଟିର ଏଭଳି ବିକଳ ଚିତ୍ର ଆସିଛି ଯାହା ଦେଖିଲେ ଯେକୌଣସି ଲୋକ ବି ବିଚଳିତ ହୋଇଯିବେ । ବୁଲିବାଡି ପଂଚାୟତର ବ୍ରାହାଗାଡ ଗାଁରେ ସ୍ଥିତି ପରଖିଥିଲା କନକ ନ୍ୟୁଜ ।

ଅଭାବ ଓ ଅସୁବିଧା ଭିତରେ ଯଦି ଆପଣ ଅପପୁଷ୍ଟିର ଚେହେରା ଖୋଜିବେ, ହୁଏତ ଏହି ଭଳି ଚିତ୍ର ହିଁ ଆପଣଙ୍କ ସାମ୍ନାକୁୁ ଆସିବ । କୁନି କୁନି ପିଲାଙ୍କ ଏହି ବିକଳ ଚିତ୍ର ହିଁ ବୟାନ କରୁଛି ପୁଷ୍ଟି ଓ ଅପପୁଷ୍ଟି ଭିତରେ ଥିବା ତଫାଦ୍ । ଉପାନ୍ତର ମଣିଷ କେମିତି ଜୀବନ ବଂଚେ ଏବଂ ତାଙ୍କ ପିଲାଙ୍କୁ କିଭଳି ମଣିଷ କରେ ରାୟଗଡ଼ା ଜିଲ୍ଲା ବୁଲିବାଡ଼ି ପଂଚାୟତର ବ୍ରାହାଗାଡ଼ ଗାଁର ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଛି ।

ଅପପୁଷ୍ଟିର ବିକଳ ଚିତ୍ର, ସାମ୍ନାକୁ ଆସିଲା ରାୟଗଡ଼ାର ‘ନଗଡ଼ା’ । ଦେଖନ୍ତୁ ଉପରେ ଥିବା ଏହି ଭିଡିଓକୁ । ଆପଣ ଯେଉଁ ଏହି ଶିଶୁର ଚିତ୍ର ଦେଖୁଛନ୍ତି । ଏହି ଶିଶୁଟି ଜନ୍ମ ନେବାର ୭ ଦିନ ପରେ ମା’ ଚାଲିଗଲେ । କାରଣ, ଥିଲା କୁପୋଷଣ ଓ ଚିକିତ୍ସାର ଅଭାବ । ଏବେ ବୁଢ଼ି ମା’କୁ ସାହାରା କରି ବଂଚୁଛି, ଏହି ଶିଶୁ । ହେଲେ କୁନି ପିଲା ମୁହଁରେ କି ଦାନା ଦିଆଯାଉଛି, ତାହା ଏହି ଚିତ୍ର ହିଁ ବୟାନ କରୁଛି ।

ବୁଲିବାଡ଼ି ପଂଚାୟତରୁ ୧୫ କିଲୋମିଟର ଦୂରରେ ଏହି ବ୍ରାହାଗାଡ଼ ଗାଁ । ଗାଁରେ ରୁହନ୍ତି ପ୍ରାୟ ୨୨ଟି ପରିବାର । ଆଉ ସମସ୍ତଙ୍କର ଏକା ଅବସ୍ଥା । ଗାଁର ପ୍ରାୟ ସବୁ ଛୁଆ ଅପପୁଷ୍ଟିର ଶିକାର ।

ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଯେଉଁ ତଥ୍ୟ ଦେଇଥିଲେ, ହୁଏତ ତାକୁ ହିଁ ପ୍ରମାଣିତ କରୁଛି ରାୟଗଡ଼ା ଜିଲ୍ଲାର ଚିତ୍ର ।

-ସାରା ରାଜ୍ୟରେ ଅତିଶୟ କମ ଓଜନର ଶିଶୁଙ୍କ ସଂଖ୍ୟା ୨୧ ହଜାର ୯୦୧
– କମ ଓଜନର ଶିଶୁଙ୍କ ସଂଖ୍ୟା ୩ଲକ୍ଷ ୭୫ ହଜାର ୧୯୬
– ଆଉ ଓଡ଼ିଶାରେ ୪୧% ମା’ କୁପୋଷଣର ଶିକାର ହେଉଛନ୍ତି

ଏହି ସବୁ ତଥ୍ୟ ଭିତରେ ରାୟଗଡ଼ାର ଏହି ଦୃଶ୍ୟ ଦେଖିଲେ ଆପଣା ଛାଏଁ ମନକୁ ଚାଲି ଆସୁଛି ଯାଜପୁର ଜିଲ୍ଲା ନଗଡ଼ାର ଚିତ୍ର ।