କନକ ବ୍ୟୁରୋ : ଶନିବାର ରାତି ସମୟ । ବେଙ୍ଗାଲୁରୁର ବସନ୍ତପୁରା ଅଂଚଳର ଘଟଣା । ଫୁଟପାଥରେ ଚାଲିଚାଲି ଫୁରସତର ସମୟ କାଟୁଥିଲେ ସ୍ଥାନୀୟ ବାସିନ୍ଦା ପ୍ରେମା ଏସ୍ ଓ କ୍ରିଷ୍ଣା ବି । ହଠାତ କେହି କିଛି ବୁଝିବା ଆଗରୁ ପଛପଟୁ ଆସୁଥିବା ଦ୍ରୁତ ବେଗର ଏକ କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏହି ଧକ୍କା ଆଉ କେହି ନୁହେଁ କନ୍ନଡ ସିନେ ଦୁନିଆର ଜଣାଶୁଣା ଅଭିନେତା ନାଗଭୂଷଣ କରି ଫେରାର ହୋଇଥିଲେ । ଘଟଣାସ୍ଥଳରେ ଯନ୍ତ୍ରଣା ଛଟପଟ ହେବା କିଛି ସମୟ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।

Advertisment

ଦୁର୍ଘଟଣା ଘଟାଇବା କିଛି ଘଂଟା ପରେ ଅଭିନେତାଙ୍କୁ ଗିରଫ କରିଥିଲା ପୁଲିସ । ତେବେ କିଛି ଘଂଟା ପରେ ତାଙ୍କୁ ଜାମିନ ମଧ୍ୟ ମିଳିଛି । ମୃତ ମହିଳାଙ୍କ ପରିବାର ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରି ରାସ୍ତା ଉପରେ ଧାରଣା ଦେଇଛନ୍ତି ।

ବେଙ୍ଗାଲୁରୁ ପୁଲିସ କହିଛି ଦ୍ରୁତ ବେଗରେ ଗାଡି ଚଳାଇ ନାଗଭୂଷଣ ଆସୁଥିବା ସମୟରେ ପ୍ରଥମେ ଦମ୍ପତିଙ୍କ ସହ ଧକ୍କା କରିଥିଲେ । ନିୟନ୍ତ୍ରଣ ହରାଇ ଫୁଟପାତକୁ ତାଙ୍କ ଗାଡି ମାଡିଯିବା ଫଳରେ ଦମ୍ପତିଙ୍କୁ ଧକ୍କା ଦେଇଥିଲା କାର । ପରେ ଏକ ବିଦ୍ୟୁତ ଖୁଂଟରେ ଯାଇ ପିଟି ହୋଇଥିଲା କାର ।

କଳାକାର ଓ ହିଟ ଆଣ୍ଡ ରନ ମାମଲା କିଛି ନୂଆ ନୁହେଁ । ନିକଟରେ କନ୍ନଡ ସିନେ କଳାକାର ଚନ୍ଦ୍ରପ୍ରଭା କାର ଯୁବକଙ୍କ ଧକ୍କା କରି ଖବରକୁ ଆସିଥିଲେ । ସେପଟେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ୨୦୦୨ ମସିହାର ବହୁ ଚର୍ଚ୍ଚିତ ହିଟ ଆଣ୍ଡ ରନ ମାମଲା ଆଜି ବି ସମସ୍ତେ ମନେ ରଖିଛନ୍ତି ।