ଶ୍ମଶାନ ଛାଡି ଶ୍ରୀକ୍ଷେତ୍ରରେ ନାଗା ସାଧ୍ୱୀ। ଜଗାଦର୍ଶନ ପାଇଁ ବଡଦାଣ୍ଡରେ ମହିଳା ଅଘୋରୀ

182

କନକ ବ୍ୟୁରୋ: କପାଳରେ ଲମ୍ବା ସିନ୍ଦୁର ତିଳକ । ଦେହର ଗୈରିକ ବସ୍ତ୍ର । ଗଳାରେ ରୁଦ୍ରାକ୍ଷ ଓ ସ୍ଫଟିକ ମାଳାର ସମ୍ଭାର । ହାତରେ ଧରିଛନ୍ତି ଡମ୍ବରୁ । କାଳିଆର ଘୋଷଯାତ୍ରା ଦେଖିବା ପାଇଁ ବଡ ଦାଣ୍ଡରେ ବୁଲୁଛନ୍ତି ନାଗା ସାଧ୍ୱୀ । ତାଙ୍କ ବେଶ ଭୂଷା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଭକ୍ତଙ୍କ ମେଳକୁ ଓହ୍ଲାଇ ଆସିବାର ଶ୍ରୀଜିଉଙ୍କ ଅଲୌକିକ ପରମ୍ପରାକୁ ଆଖି ପୁରାଇ ଦେଖିବାକୁ ପୁରୀ ଆସିଛନ୍ତି । ଡମ୍ବରୁ ବଜାଇ ଭକ୍ତଙ୍କ ମେଳରେ ଜୟଜଗନ୍ନାଥ ନାରା ଦେଉଛନ୍ତି ।

ବର୍ଷକୁ ଥରେ ଭକ୍ତଙ୍କ ଗହଣକୁ ଆସୁଛନ୍ତି ଜଗତର ନାଥ ଜଗନ୍ନାଥ । କଳା ଠାକୁରଙ୍କ ଏହି ଆଧ୍ୟାତ୍ମିକ ଉତ୍ସବରେ ସାମିଲ ହେବାକୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପୁରୀକୁ ଛୁଟି ଆସିଛନ୍ତି ସାଧୁସନ୍ଥ । ବଡ ଦାଣ୍ଡରେ କିଏ ଚକାଆଖିର ଆରାଧନାରେ ମଜ୍ଜିଯାଇଛି । ଆଉ କିଏ ଯୋଗ ସାଧନା କରୁଛି । ପୁଣି କେଉଁ ସାଧୁ ଶିବଙ୍କ ବେଶରେ ସଜ୍ଜିତ ହୋଇ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଛନ୍ତି । ସାଧୁ ସନ୍ଥଙ୍କ ଉପସ୍ଥିତି ବଡଦାଣ୍ଡର ପରିବେଶକୁ ଆହୁରି ଭକ୍ତିମୟ କରିଦେଇଛି ।

ସେପଟେ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ବଡଦାଣ୍ଡକୁ ଆସି ରଥାରୁଢ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶିଷ୍ୟ ଓ ପୀଠର ଅନ୍ୟ ସାଧୁଙ୍କ ସହ ଆସି କଳାଠାକୁରଙ୍କୁ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ ।