କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ଆର୍ଥିକ କାରବାର ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିବେ ଇଡି ଅଧିକାରୀ । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରାଯିବ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରରେ ଏକ ମାମଲା ରୁଜୁ ହୋଇଛି । ସେପେଟ ଅର୍ଚ୍ଚନା ନାଁରେ ମାମଲା ରୁଜୁ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି ।
ମନି ଲଣ୍ଡ୍ରିଂ ମାମଲାରେ ଅର୍ଚ୍ଚନା ନାଗକୁ ବାନ୍ଧିବା ପରେ ପୁଣି ଦ୍ୱିତୀୟ ଥର ପାଇଁ ତାଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବଳ ଅର୍ଚ୍ଚନା ନୁହନ୍ତି ବେଇଆନ ଅର୍ଥ କାରବାରରେ ସାମିଲ ଥିବା ସୁରାକ ପାଇବା ପରେ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ବୁଧବାର ୯ ଦିନିଆ ରିମାଣ୍ଡରେ ଆଣିଛି ଇଡି । ଏହି ରିମାଣ୍ଡ ଅବଧି ମଧ୍ୟରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଓ ଅଲଗା ଅଲଗା ଜେରା କରିବେ ଇଡି ଅଧିକାରୀ ।
ଏହି ରିମାଣ୍ଡ ଅବଧି ମଧ୍ୟରେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଆର୍ଥିକ କାରବାର ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିବ ଇଡି ।
- ନାଗ ଦମ୍ପତ୍ତି ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ?
- ଏତେ କମ ଦିନ ଭିତରେ ନାଗ ଦମ୍ପତ୍ତି କେମିତି କୋଟି କୋଟି ଟଙ୍କାର ମାଲିକ ହୋଇପାରିଲେ?
- କେଉଁ କେଉଁ ବ୍ୟକ୍ତିଙ୍କ ସହ ଟଙ୍କା କାରବାର କରିଛନ୍ତି ଅର୍ଚ୍ଚନା?
- ଦାମୀ ଗାଡି ଚଢିବା ପାଇଁ କିଏ ଦେଇଥିଲା ଲକ୍ଷ ଲକ୍ଷ ଟଙ୍କା?
- ଘରର ଇଂଟେରିଅର ଡିଜାଇନ ପାଇଁ କେଉଁଠୁ ଆସିଲା ଟଙ୍କା?
- ଟଙ୍କା ରୋଜଗାରର ମୂଳ ଉତ୍ସ କଣ ଥିଲା?
- ବଡବଡିଆଙ୍କୁ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଥିଲେ କି ?
ଜଗବନ୍ଧୁଙ୍କୁ ଝରପଡା ଜେଲରୁ କ୍ୟାପିଟାଲ ହସପିଟାଲ ଓ ଇଡି ଅଫିସକୁ ନେବା ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । କିନ୍ତୁ ସେ କୌଣସି ପ୍ରଶ୍ନର ଉତର ଦେଇନଥିଲେ । ପ୍ରଥମରୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଉଥିବା ଅର୍ଚ୍ଚନା ଏବେ ଚୁପ ହୋଇଯାଇଛନ୍ତି । ସେପଟେ ଜଗବନ୍ଧୁଙ୍କ ଏଭଳି ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
-କାହିଁକି ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାନ୍ତି ଜଗବନ୍ଧୁ?
-ମୁହଁ ବନ୍ଦ ରଖିବା ପାଇଁ ଚାପ ପ୍ରୟୋଗ କରାଯାଇଛି କି?
- ଜେରା ସମୟରେ ଇଡିକୁ ସହଯୋଗ କରିବେ ତ ଜଗବନ୍ଧୁ?
ପୂର୍ବରୁ ଅର୍ଚ୍ଚନାଙ୍କ ନାଁରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ମାମଲା ରହିଛି । ଏବେ ଇଡିର ମାମଲା ପରେ ଅର୍ଚ୍ଚନାଙ୍କ ଅଡୁଆ ବଢିଛି । ସେପଟେ ଖଗେଶ୍ୱରକୁ ଗିରଫ କରିବା ପରେ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲା ଇଡି । ସେମାନଙ୍କ ଭିତରୁ ୧୦ରୁ ୧୨ ଜଣଙ୍କୁ ପଚରାଉଚରା କରିବା ପରେ ଶେଷରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ତଦନ୍ତ ଆରମ୍ଭ କରିଛି ଇଡି । ଜେରା ହୋଇଥିବା ଲୋକଙ୍କ ବୟାନ ଆଧାରରେ ନାଗ ଦମ୍ପତିଙ୍କୁ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ।