ଇସ୍ରାଏଲ ରାଜନୀତିରେ ପଟ୍ଟ ପରିବର୍ତନ । ନୂଆ ପ୍ରଧାନମନ୍ତ୍ରୀ ହେଲେ ନେଫ୍ଟାଲି ବେନେଟ୍ । ଦୀର୍ଘ ୧୨ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ବେଂଜାମିନ ନେତାନ୍ୟାହୁ ।

217

କନକ ବ୍ୟୁରୋ: ୧୨ ବର୍ଷ ପରେ ଇସ୍ରାଏଲକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଦକ୍ଷିଣପନ୍ଥୀ ନେତା ନେଫ୍ଟାଲି ବେନେଟ୍ ହେଲେ ଇଜ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ । ଏହାସହିତ ବେଂଜାମିନ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ପଡିଛି । ନୂଆ ଗଠବନ୍ଧନ ସରକାର ଆଗରେ ବହୁମତ ହାସଲ କରିବାରେ ବିଫଳ ହୋଇଛନ୍ତି ବେଂଜାମିନ୍ । ଫଳରେ ତାଙ୍କୁ ନିଜ ପଦ ଛାଡିବାକୁ ପଡିଛି ଆଉ ଦେଶକୁ ମିଳିଛି ୪୯ ବର୍ଷୀୟ ନୂଆ ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ୍ ।

ଇସ୍ରାଏଲ ରାଜନୀତିର ଯାଦୁଗର ଭାବେ ଗଣାଯାଉଥିବା ବେଂଜାମିନ ନେତାନ୍ୟାହୁଙ୍କୁ ମିଳିଛି ବିଫଳତା । ନୂଆ ରାଜନୈତିକ ଗଠବନ୍ଧନକୁ ତାଙ୍କ ଆସନ ଉପରେ ବିପଦର ଆଶଙ୍କା ଆଣିଥିଲା, ଶେଷରେ ଆଉ ଏହି ଗଠବନ୍ଧନ ହିଁ ତାଙ୍କ ପରାଜୟର କାରଣ ହୋଇଛି ।

ନୂଆ ପ୍ରଧାନମନ୍ତ୍ରୀ ଭାବେ ନେଫ୍ଟାଲି ବେନେଟ୍ ରବିବାର ଶପଥ ଗ୍ରହଣ କରିଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ସେ କହିଛନ୍ତି, ସେ ଦେଶରେ ବିଭେଦର ରାଜନୀତିକୁ ସମାନ୍ତ କରିବେ । ଦିନଥିଲା ନେଫ୍ଟାଲି, ନେତାନ୍ୟାହୁଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀ ଥିଲେ । ପରେ ସେ ନେତାନ୍ୟାହୁଙ୍କ ଲିକୁଡ୍ ପାର୍ଟିରୁ ଅଲଗା ହୋଇ ଧାର୍ମିକ ୟେହୁଦି ଦଳରେ ଯୋଗ ଦେଇଥିଲେ । ୨୦୧୩ ନିର୍ବାଚନରେ ନେଫ୍ଟାଲି ବିଜୟୀହୋଇ ଇଜ୍ରାଏଲ ସଂସଦରେ ପହଁଚିଥିଲେ ।

ସେପଟେ ନେତାନ୍ୟାହୁଙ୍କ କହିବା କଥା ନୂଆ ସରକାର ଦେଶପାଇଁ ବିପଦ । ୭୧ ବର୍ଷୀୟ ନେତାହ୍ୟାହୁ ସବୁଠାରୁ ଲମ୍ବାସମୟ ଧରି ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ସେ ୫ଥର ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଥମଥର ୧୯୯୬ ରୁ ୧୯୯୯ ଯାଏଁ ପ୍ରଧାନମନ୍ତ୍ରୀ ରହିଥିଲେ ନେତାନ୍ୟାହୁ । ଏହାପରେ ୨୦୦୯ରୁ ୨୦୨୧ ଯାଏଁ ଲଗାତାର ସରକାରର ନେତୃତ୍ୱ ନେଇ ଆସୁଥିଲେ ନେତାନ୍ୟାହୁ ।