କନକ ବ୍ୟୁରୋ: ସାରା ଦେଶରେ ଅହେତୁକ ପିଆଜ ଦର ବୃଦ୍ଧି । କେନ୍ଦ୍ର ସରକାର ଖୁଚୁରା ବଜାରରେ ଆହୁରି ପ୍ରାୟ ୧ଲକ୍ଷ ଟନ୍ ପିଆଜ ଛାଡିବେ । ଏପରି ଏକ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ସୂଚନା ଦେଇଛନ୍ତି । ଏପରି କରି ଖାଉଟିଙ୍କୁ ବଜାରରେ ବିକ୍ରି ହେଉଥିବା ଚଢା ଦରରୁ କମ୍ ଦାମରେ ଦେବାକୁ ପ୍ରୟାସ ହୋଇଛି । ସଚିବ କହିଛନ୍ତି, ଆମେ ଏଭଳି ଅହେତୁକ ଦର ବୃଦ୍ଧି ଆଧାରରେ ସହରଗୁଡ଼ିକୁ ଚିହ୍ନଟ କରିବୁ । ନାଫେଡ ଜରିଆରେ ପିଆଜ ବିକ୍ରି ହେଉଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି । ଏହାରି ଭିତରେ ଦିଲ୍ଲୀରେ ଫଳ ଓ ପନିପରିବା ପାଇଁ ଏସିଆର ସବୁଠାରୁ ବଡ଼ ପାଇକାରୀ ବଜାର ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜର ପାଇକାରୀ ଦର ଗତ ସପ୍ତାହରେ କିଲୋ ପିଛା ୬୦-୬୫ ଟଙ୍କା ଥିବା ବେଳେ ଏବେ ଏହା ୩୦-୪୦ ଟଙ୍କାକୁ ଖସି ଆସିଛି ।
ତେବେ ଖୁଚୁରା ବଜାରରେ ଏହାର ପ୍ରଭାବ ଏଯାଏଁ ଦେଖିବାକୁ ମିଳିନାହିଁ । ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସହରରେ ଦର କମିବ ବୋଲି ଆଶା କରାଯାଉଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ବ୍ୟବସାୟୀମାନେ କହିଛନ୍ତି ଯେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ପାଇକାରୀ ଦର ହ୍ରାସ ପାଇଛି । ଖାଲି ସେତିକି ନୁହେଁ, ମଣ୍ଡିରେ ମଧ୍ୟ ନୂଆ ଫସଲ ଆସିବା ଆରମ୍ଭ ହୋଇଛି ।