ବ୍ରହ୍ମପୁର ସମାବେଶରେ ରାଜ୍ୟ ସରକାରଙ୍କୁ ଆଟାକ୍ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ରୁଦ୍ଧଦ୍ୱାର ଜେପି ନଡ୍ଡାଙ୍କ ଗୁରୁତ୍ୱପୂଣ୍ଣ ବୈଠକ ।

77

କନକ ବ୍ୟୁରୋ: ବ୍ରହ୍ମପୁର ସମାବେଶରେ ରାଜ୍ୟ ସରକାରଙ୍କୁ ଘେରିବା ପରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହୋଇଥିଲେ । ନିର୍ବାଚନ ରଣନୀତି ନେଇ ଏହି ବୈଠକରେ ଦକ୍ଷିଣ ଓଡ଼ିଶାର ୪ ଲୋଭସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ପ୍ରାର୍ଥୀଙ୍କ ସମେତ ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛନ୍ତି ନଡ୍ଡା ।

ପ୍ରଚାର ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତା ଗୁଡିକ ଭୋଟରଙ୍କ ସାମ୍ନାରେ ରଖିବା ସରକାର ଗଠନ ନେଇ ଉଦ୍ୟମ କରିବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜେପି ନଡ୍ଡା । ଭୋଟର ପରିବର୍ତନ ଚାହୁଁଥିବା ବେଳେ ଏଥର ଓଡ଼ିଶାରେ ପରିବର୍ତନ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ନିର୍ବାଚନରେ ବିଜୟ ନେଇ ନଡ୍ଡାଙ୍କ ରଣନୀତିକୁ ସଫଳ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଏହା ପୂର୍ବରୁ ରବିବାର ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶାରେ ସରକାର ପରିବର୍ତ୍ତନ କରିବାକୁ ଆହ୍ୱାନ ଦେବା ସହ ମୋଦୀ ସରକାରଙ୍କ ସଫଳତା ବଖାଣିଥିଲେ ନଡ୍ଡା ।