ବାପା ବନାମ ପୁଅ । ଗୋଟିଏ ଆସନ ପାଇଁ ନାମଙ୍କନ ଭରିଲେ ବାପ-ପୁଅ, ଚର୍ଚ୍ଚାରେ ନାରାୟଣପାଟଣା ଜିଲ୍ଲା ପରିଷଦ ଜୋନ୍ ।

1,748

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ବଳ କଷାକଷି ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଆଉ ସେହି ଦୁଇ ପ୍ରାର୍ଥୀ ହେଉଛନ୍ତି ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଏବଂ ତାଙ୍କ ପୁଅ ରବୀନ୍ଦ୍ର ନାଚିକା । ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ ଅଫିସକୁ ଆସି ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବାପା-ପୁଅ ।

୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନ ସମୟରେ ଜେଲରେ ଥିଲେ ନାଚିକା ଲିଙ୍ଗା । ଆଉ ଜେଲରେ ଥାଇ ମଧ୍ୟ ସେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ, ନିର୍ବାଚନ ଦୌଡରୁ ସେ ବାଦ୍ ପଡିଥିଲେ । କିନ୍ତୁ ଏଥର ସେ ନିଜେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଲୋକଙ୍କ ସହ ରହିଛି ଏବଂ ଆଗକୁ ରହିବି ବୋଲି ମଧ୍ୟ କହିଛନ୍ତି । ଏହା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ଏହାରି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପୂର୍ବତନ ସରପଞ୍ଚ ଭାମ୍ବୋ ଶିରିକାଙ୍କୁ ମଇଦାନକୁ ଓହ୍ଲାଇଛି । ସେପଟେ ବିଜେପି ମଧ୍ୟ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି । ବ୍ଲକ ଶିକ୍ଷକ ସଂଘ ସଭାପତି ପର୍ଶୁରାମ ତାଡିଙ୍ଗଙ୍କ ଝିଅ ମୀନାକ୍ଷୀ ତାଡିଙ୍ଗଙ୍କୁ ବିଜେପି ପ୍ରାର୍ଥୀ କରିପାରେ । ଅନ୍ୟପଟେ ଏକାଧିକ ଆଶାୟୀଙ୍କ ମଧ୍ୟରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ତା ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର ।

ତେବେ ନାଚିକାଙ୍କ ପୁଅ ଜଣେ ଉଚ୍ଚଶିକ୍ଷିତ ହୋଇଥିବାରୁ ବିଶେଷ କରି ପଞ୍ଚାୟତରେ ବସବାସ କରୁଥିବା ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜନୈତିକ ଛକାପଞ୍ଝା ଭିତରେ ନାଚିକା ଏବଂ ତାଙ୍କ ପୁଅଙ୍କ ଆଗମନ ଭିନ୍ନ ସମୀକରଣ ସୃଷ୍ଟି କରିଛି । ୨୦୧୨ ମସିହାରେ ନାଚିକାଙ୍କ ସମର୍ଥିତ ପ୍ରାର୍ଥୀ ଜୁରୋ ମାଉକା ବିଜୟୀ ହୋଇଥିଲେ । ନିର୍ବାଚନ ପରେ ଜୁରୋ ହିଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ତେଣୁ ଏଥର ପୁଅକୁ ଏଠାରେ ପ୍ରାର୍ଥୀ କରି ପତିଆରା ପାଇଁ ନିଶ୍ଚିତ ରୂପେ ଲଢ଼େଇ କରିବେ ବୋଲି ସଙ୍କେତ ମିଳୁଛି । ଯେଉଁଥିପାଇଁ ନାରାୟଣପାଟଣାରେ ଏଥର ଭିନ୍ନ ଧରଣର ଲଢ଼େଇ ଦେଖିବାକୁ ମିଳିପାରେ ।