ଦୁଇବର୍ଷ ହେବ ଖାଲି ପଡିଛି ପୌରାଞ୍ଚଳର ଲୋକପ୍ରତିନିଧି ପଦବୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ସରକାରଙ୍କ ପ୍ରସ୍ତୁତି

199

କନକ ବ୍ୟୁରୋ : ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଲାଗି ରହିଛି ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ସରକାରଙ୍କ ପ୍ରସ୍ତୁତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଆସନ୍ତା ୨୦ ତାରିଖ ଠାରୁ ବିଧାନସଭାରେ ବସିବାକୁ ଥିବା ଶୀତକାଳୀନ ଅଧିବେସନରେ ପୌର ନିୟମ ସଂଶୋଧନ ନେଇ ବିଧେୟକ ଆସିବ ବୋଲି ଜଣାପଡିଛି । ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି ସେନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ । ଏହା ପରେ କମିଶନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ । ୱାର୍ଡ ପୁନର୍ଗଠନ,ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ କରାଇବାକୂୁ ୬ ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପୌରାଞ୍ଚଳର ସୀମା ପୁନଃନିର୍ଦ୍ଦାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ ରେ ସଂଶୋଧନ ଆସିବା ପରେ ୨୦୨୧ ଜୁନ୍ ସୁଦ୍ଧା ପୌର ନିର୍ବାଚନ ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି ।
ସୂଚନା ଥାଉକି ଯେ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କ କ୍ଷେତ୍ରରେ ସଂରକ୍ଷଣ ହାର ୬୪ ପ୍ରତିଶତ ହେଉଥିଲା । ୨୦୧୦ ରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ଏହି ସଂରକ୍ଷଣ ହାର ତାହାକୁ ଅବମାନନା କରୁଥିବା ଦର୍ଶାଇ ହାଇକୋର୍ଟରେ ୧ ଶହରୁ ଅଧିକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ଅନୁସୂଚିତ ଅଞ୍ଚଳକୁ ବାଦ ଦେଇ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖିବାକୁ ରାଜ୍ୟସରକାର ଏହାର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାକି ଖାରଜ ହୋଇଯାଇଥିଲା
ରାଜ୍ୟରେ ୨୦୧୮ ମସିହା ସେପ୍ଟେମ୍ବର ମାସରୁ ବିଭିନ୍ନ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ସରିବା ଆରମ୍ଭ ହୋଇଥିଲା । ୨୦୧୯ ଫେବୃଆରୀ ୧୩ ତାରିଖ ମଧ୍ୟରେ କଟକ, ଭୁବନେଶ୍ୱର ମହାନଗର ନିଗମ ସହିତ ରାଜ୍ୟର ୯୩ ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧି ମାନଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।

Comments are closed.