୩୫ଟି ନୂଆ ଏନ୍ଏସି ଗଠନ ପରେ ବି ଥମୁନି ଏନଏସି ଦାବି । ବିଭିନ୍ନ ଅଂଚଳରେ ତେଜୁଛି ଅସନ୍ତୋଷ,ବାମରା, କାକଟପୁର, ବୋଲଗଡ଼ ଓ ଖଇରାରେ ବନ୍ଦ ପାଳନ

83

କନକ ବ୍ୟୁରୋ : ରାଜ୍ୟରେ ୩୫ଟି ସହରକୁ ଏନଏସି ମାନ୍ୟତା ମିଳିବା ପରେ ବିଭିନ୍ନ ସହରରେ ଏନଏସି ଦାବି ଜୋର ଧରିଛି । ବାଲେଶ୍ୱର ଜିଲ୍ଲା ଖଇରାକୁ ଏନଏସି ମାନ୍ୟତା ଦାବିରେ ସ୍ୱାଭିମାନୀ ମଂଚ ପକ୍ଷରୁ ୯ ଘଂଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛାଡି ଅନ୍ୟ ସବୁ ବନ୍ଦ ହୋଇଥିଲା । ସବୁ ପ୍ରକାର ଭିତିଭୂମି ଥିଲେ ମଧ୍ୟ ନୂଆ ଏନଏସି ତାଲିକାରେ ଖଇରାକୁ ବାଦ ଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ଏନଏସି ଘୋଷଣା ଦାବିରେ ସମ୍ବଲପୁର ବାମରାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବାମରା ନାଗରିକ କମିଟି ପକ୍ଷରୁ ବନ୍ଦ ପାଳିତ ହେଉଛି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେବା ସହ ଦୋକାନ ବଜାର, ଗାଡି ଚଳାଚଳ ଓ ସ୍କୁଲ କଲେଜ ବନ୍ଦ ରହିଛି । ଟ୍ରେନ୍ ସେବା ଓ ପରୀକ୍ଷାର୍ଥୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନାଗରିକ କମିଟି ପକ୍ଷରୁ କୁହାଯାଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଓ ପୁରୀ ଜିଲ୍ଲାର କାକଟପୁରରେ ମଧ୍ୟ ଏହି ସମାନ ଦାବି ନେଇ ଆନ୍ଦୋଳନ ଜାରି ରହିଛି