ପଂଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଜୋରଧରିଲା ଏନଏସି ଦାବି । ନୟାଗଡ ଶରଣକୁଳ ଏନଏସି ଦାବି କରି ଭୋଟ୍ ବର୍ଜନ ଚେତାବନୀ ଦେଲା କ୍ରିୟାନୁଷ୍ଠାନ କମିଟି ।

82

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଏବେ ଏନଏସି ମାନ୍ୟତା ଦାବି କରୁଛି ନୟାଗଡ ଜିଲ୍ଲା ଶରଣକୁଳ । ଏଥିପାଇଁ ସମସ୍ତଙ୍କ ସହମତିରେ ଚଳିତ ନିର୍ବାଚନକୁ ବର୍ଜନ କରିବା ପାଇଁ ଅଣ୍ଟା ଭିଡିଛି କ୍ରୀୟାନୁଷ୍ଠାନ କମିଟି । ଏହା ଶାସକ ଦଳର ଚାଲ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ନୟାଗଡର ଶରଣକୁଳ ମାଗୁଛି ଏନଏସି ମାନ୍ୟତା । ଶରଣକୁଳ ଓ ହରିହରପୁର ପଞ୍ଚାୟତକୁ ମିଶାଇ ଏନଏସି ଗଠନ ଦାବିରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଛି କ୍ରୀୟାନୁଷ୍ଠାନ କମିଟି । ଏଥିପାଇଁ ଦୁଇ ପଞ୍ଚାୟତର ଅଧିବାସୀଙ୍କୁ ଏକାଠି କରାଇ ରାଜି କରାଇବାରେ ଲାଗିଛି କମିଟି ।

ଶରଣକୁଳ ଓ ହରିହରପୁର ଜନସଂଖ୍ୟା ପ୍ରାୟ ୧୦ ହଜାରରୁ ଅଧିକ । ଥାନା, ବ୍ୟାଙ୍କ ଆଉ ଅନେକ ସରକାରୀ ଅଫିସ ଏଠାରେ ରହିଛି । ଲଡୁବାବାଙ୍କ ନିକଟକୁ ଦୈନିକ ଶହ ଶହ ଯାତ୍ରୀ ଆସୁଛନ୍ତି । ଏହି ସବୁ ଦୃଷ୍ଟିରୁ ଶରଣକୁଳ ଏନଏସି ପାଇଁ ଦାବିଦାର ବୋଲି କ୍ରିୟାନୁଷ୍ଠାନ କମିଟି କହୁଛି ।

ଏନଏସି ହେଲେ ଲୋକେ ଅଧିକ ସୁବିଧା ପାଇପାରିବେ ବୋଲି ଆଶା ରଖିଛନ୍ତି ହରିହରପୁର ସରପଞ୍ଚ । ଅନ୍ୟପଟେ ନିର୍ବାଚନରେ ପରାଜୟ ଆଶଙ୍କା ଥିବାରୁ ଶାସକ ବିଜେଡିର ଏହା ଏକ ଚାଲ ବୋଲି କଂଗ୍ରେସ କହିଛି । ଏହା ଲୋକଙ୍କ ଦାବି, ତେଣୁ ଏହାକୁ ସମର୍ଥନ କରୁଛନ୍ତି ରଣପୁର ବିଧାୟକ । ନାମାଙ୍କନ ଦାଖଲ ବେଳେ ଜଣାପଡିବ ଶରଣକୁଳ ଏନଏସି ପାଇଁ କେଉଁ ଦଳର ଅଛି କେତେ ଆନ୍ତରିକତା ।