ସୀମାରେ ଜଗିଛନ୍ତି ଯୋଗାଣ ଅଧିକାରୀ ହେଲେ ଗାଁ ଗାଁ ବୁଲି ଧାନ କିଣୁଛନ୍ତି ଛତିଶଗଡ ଦଲାଲ: ଚାଷୀ କହିଲେ ରାଜ୍ୟ ଅପେକ୍ଷା ରାଜ୍ୟ ବାହାରେ ଧାନ ବିକିଲେ ମିଳୁଛି ଅଧିକ ଟଙ୍କା

ସେପଟେ ଧାନ ଗାଡି ଜଗିବାକୁ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅସ୍ଥାୟୀ ଟୋଲଗେଟ୍ କରିଛି ଛତିଶଗଡ ପ୍ରଶାସନ

134

କନକ ବ୍ୟୁରୋ: ସୀମା ବାହାରକୁ ଯିବ ନାହିଁ ଓଡିଶା ଧାନ । କି ରାଜ୍ୟ ବାହାରୁ ଓଡିଶା ଭିତରକୁ ଧାନ ଆସି ପାରିବ ନାହିଁ । ନବରଙ୍ଗପୁର ଜିଲ୍ଲାରେ ଧନ ସଂଗ୍ରହ ପୂର୍ବରୁ ଧାନ ବିକ୍ରିର କାରବାରକୁ ରୋକିବା ପାଇଁ ପଦକ୍ଷେପ ନେଇଛି ନବରଙ୍ଗପୁର ଜିଲ୍ଲାର ଯୋଗାଣ ବିଭାଗ । ରାତି ଅନିଦ୍ରା ହୋଇ ଅଧିକାରୀ ସୀମା ଜଗିଥିବା ବେଳେ ଛତିଶଗଡ ଜିଲ୍ଲାର ଧାନ ଦଲାଲ ଘର ଘର ବୁଲି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ଧାନ କିଣି ନେଉଛି । କାହିଁକି ଏମିତି ସ୍ଥିତି ସୃଷ୍ଟି ହୋଇଛି । କାହିଁକି ଓଡିଶା ବ୍ୟବସ୍ଥା ଉପରୁ ଭରସା ତୁଟାଇ ରାଜ୍ୟ ବାହରର ଦଲାଲଙ୍କ ହାତରେ ଧାନ ଟେକି ଦେଉଛନ୍ତି ଚାଷୀ ।

ଶୀତ ରାତିରେ ଓଡିଶା- ଛତିଶଗଡ ସୀମାରେ ପହରା ଦେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଯୋଗାଣ ଅଧିକାରୀ । ଉଦେଶ୍ୟ, ଓଡିଶା ଧାନକୁ ରାଜ୍ୟ ବାହାରକୁ ଯିବାକୁ ଦେବେ ନାହିଁ । ପଡୋଶୀ ରାଜ୍ୟର ଦଲାଲ ଯେମିତି ଓଡିଶାର ଚାଷୀଙ୍କୁ ଶୋଷଣ ନକରନ୍ତି, ସେଥିପାଇଁ ଛତିଶଗଡ ସୀମା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡସରା ଠାରେ ଜଗି ରହୁଛନ୍ତି ଅଧିକାରୀ । ତେବେ କାହିଁକି ଏଭଳି ସ୍ଥିତି ଉପୁଜିଛି ଯେ, ଧାନ ଜଗିବାକୁ ସୀମାରେ ପହରା ଦେଉଛନ୍ତି ଯୋଗାଣ ଅଧିକାରୀ । କାହିଁକି ଓଡିଶାର ଧାନ ଛତିଶଗଡ ଦଲାଲଙ୍କୁ ବିକ୍ରି କରୁଛନ୍ତି ଚାଷୀ ।

ତେବେ ଓଡିଶା ଚାଷୀଙ୍କ କହିବା କଥା ଓଡିଶା ଅପେକ୍ଷା ଛତିଶଗଡରେ ଧାନର ସହାୟତ ମୂଲ୍ୟ ଅଧିକ ରହିଛି । ଛତିଶଗଡରେ ଧାନ କ୍ୱିଂଟାଲ ପ୍ରତି ଦର ୨୫ଶହ ଥିବା ବେଳେ ଓଡିଶାରେ ୧୮୬୮ ଟଙ୍କା ରହିଛି । ଓଡିଶା ଅପେକ୍ଷା ଛତିଶଗଡରେ ୭ଶହ ଟଙ୍କା ଅଧିକ ମିଳୁଛି । କେବଳ ଏତିକି ନୁହେଁ ଦର କମ୍ ମିଳୁଥିବା ବେଳେ ବିଳମ୍ବରେ ମଣ୍ଡି ଖୋଲୁଛି । ପୁଣି ଧାନ ବିକ୍ରି ପାଇଁ ମଣ୍ଡିରେ ଦିନରାତି ଏକ କରି ଅପେକ୍ଷା କରିବାକୁ ପଡୁଛି । ଓଡିଶା ମଣ୍ଡିରେ କଟନୀଛଟନୀ ବାବଦକୁ କ୍ୱିଂଟାଲ ପ୍ରତି ୫-୬ କିଲୋ ଓଜନର ଧାନ କାଟି ନେଉଛନ୍ତି ମିଲର । କିନ୍ତୁ ଛତିଶଗଡ ଦଲାଲ ଘର ଘର ବୁଲି ଓଡିଶା ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ୧୦୦ ଟଙ୍କା କମ୍ ଦେଇ ଧାନ କିଣି ନେଉଛନ୍ତି । ଓଡିଶା ମଣ୍ଡିର ଅବ୍ୟବସ୍ଥା ଓ କଟକଣାରୁ ମୁକ୍ତି ପାଇବା ପାଇଁ ନବରଙ୍ଗପୁର ଚନ୍ଦାହାଣ୍ଡିର ଚାଷୀ ଛତିଶଗଡ ଦଲାଲକୁ ଧାନ ବିକ୍ରି କରୁଥିବା କହିଛନ୍ତି ।