ନବରଙ୍ଗପୁରର କଙ୍ଗାରୁକୋର୍ଟ: ପ୍ରେମ ପାଇଁ ପ୍ରେମୀଯୁଗଳଙ୍କୁ ମାଡ଼

206

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ କଙ୍ଗାରୁ କୋର୍ଟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ରେ ଘଟିଛି ହୃଦୟ ବିଦାରକ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କୁ କପଡ଼ାରେ ଆଖି ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ବ୍ୟକ୍ତି। ପ୍ରେମୀ ଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରିଥିଲେ ସୁଦ୍ଧା କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।
ଭୁଲ ତାଙ୍କର ପ୍ରେମ କରିବା, ଆଉ ଏହାର ସଜା କଙ୍ଗାରୁକୋର୍ଟରେ ଦିଆଯାଉଛି । ସୋସିଆଲ ମିଡିଆରେ ଭାଇରାଲ ଡାବୁଗାଁ ଥାନା ଅଂଚଳର ଏହି ଭିଡିଓ ଚାଂଚଲ୍ୟ ଖେଲାଇ ଦେଇଛି । ସମ୍ଭବତଃ ଗାଁ ନିକଟ ବିଲରେ ଦୁଇ ପ୍ରେମୀ ଯୁଗଳଙ୍କୁ କପଡ଼ାରେ ବାନ୍ଧି ଦିଆଯାଇଛି । ଆଖିରେ ମଧ୍ୟ କପଡା ବନ୍ଧା ଯାଇଛି । ଆଉ ତାଙ୍କୁ ଘେରିଯାଇ କିଛି ମହିଳା ଓ ପୁରୁଷ କେତେବେଳେ ବାଡ଼ିରେ ନିର୍ମମ ଭାବେ ପିଟୁଛନ୍ତି ତ ଆଉ କେତେବେଳେ ଗୋଇଠା ମାରୁଛନ୍ତି । ଖସିଯିବାର କୌଣସି ବାଟ ନାହିଁ, କିଛି ଉପାୟ ନପାଇ ପ୍ରେମୀଯୁଗଳ ମାଡ଼ ନ ମାରିବାକୁ ଆକୁଳ ନିବେଦନ କରୁଛନ୍ତି, ହେଲେ ନିର୍ଦ୍ଦୟ ଗ୍ରାମୱାସୀଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ । କୌଣସି ଦୟା ନ ଦେଖାଇ ଆଖିବୁଜା ମାଡ଼ ମାରିଚାଲିଛନ୍ତି ।

କଙ୍ଗାରୁକୋର୍ଟର ଏହି ବର୍ବରକାଣ୍ଡକୁ କେହି ଜଣେ ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡିଦେବା ପରେ ଭିଡିଓ ଭାଇରାଲ ହୋଇଛି । ଆଉ ପ୍ରେମ ପାଇଁ ପ୍ରେମୀଯୁଗଳଙ୍କୁ ନିସ୍ତୁକ ମାଡ଼ ଘଟଣା ସାମ୍ନାକୁ ଆସିଛି ।
ଘଟଣାଟି ପ୍ରାୟ ୭ ଦିନ ତଳର । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ ପାଖ ଗାଁର ଜଣେ ବିବାହିତ ଯୁବକ । ପ୍ରେମିକା ନାବାଳିକା ଥିବା ବେଳେ ପ୍ରେମିକଠାରୁ ଉଚ୍ଚ ଜାତିର ବୋଲି କୁହାଯାଉଛି। ବିବାହିତ ଓ ଛୋଟ ଜାତିର ଯୁବକକୁ ଝିଅ ପ୍ରେମ କରୁଥିବା ଜାଣିବା ପରେ ରାଗିଯାଇଥିଲେ ପରିବାର । ଆଉ ପ୍ରେମିକାକୁ ଭେଟିବାକୁ ଆସିଥିଲା ବେଳେ ପରିବାର ଲୋକ ଓ ଗ୍ରାମବାସୀଙ୍କ ହାତରେ ଧରାପଡିଯାଇଥିଲା ଯୁବକ । କଙ୍ଗାରୁକୋର୍ଟ ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ବାନ୍ଧି ସମସ୍ତଙ୍କ ସାମ୍ନାରେ ନିସ୍ତୁକ ମାଡ ମାରାଯାଇଛି। ଆଉ ସେହି ସମୟର ଘଟଣାକୁ କେହି ମୋବାଇଲରେ ଉଠାଇ ସୋସିଆଲ ମିଡିଆରେ ଛାଡିଦେବା ପରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଡାବୁଗାଁ ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଗିରଫ ଭୟରେ ଘଟଣାରେ ସଂପୃକ୍ତ ଲୋକ ଫେରାର ଥିବା ବେଳେ ପୋଲିସ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।