ଚନ୍ଦାହାଣ୍ଡି ବ୍ଲକ ଗୌରଝରିଆ ଗାଁରେ ଅଭାବନୀୟ ଘଟଣା : ଆସିପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ରୋଗୀ

94

କନକ ବ୍ୟୁରୋ : ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଂଚାୟତର ଗୌରଝରିଆ ଗାଁରେ ଘଟଛି ଏକ ଅଭାବନୀୟ ଘଟଣା । ଗାଁର ହିଙ୍ଗରାଜ ମାଝୀଙ୍କ ସ୍ତ୍ରୀ ନମତି ମାଝୀ ଗାଧୋଇ ସାରି ଲୁଗା ଶୁଖାଉ ଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାରରେ ଓଦା ଲୁଗା ଲାଗିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ରାସ୍ତା ଖରାପ ପାଇଁ ଘର ପାଖକୁ ଆସିପାରି ନଥିଲା ଆମ୍ବୁଲାନ୍ସ ।

ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ଏବଂ ବଡ଼ ବଡ଼ ଖାଲଥିବା ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶିବା ସମ୍ଭବ ନଥିଲା । ପରିବାର ଓ ଗାଁ ଲୋକ ମିଶି ଗୁରୁତର ଆହତ ମହିଳାଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ମହିଳାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ରଶାସନ ଅଧିକାରୀମାନେ ଦୃଷ୍ଟିଦେଇ ଗ୍ରାମର ରାସ୍ତା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।