କରୋନା ଭୟର ଆସିଲା ସାଂଘାତିକ ଚିତ୍ର । ନବରଙ୍ଗପୁରରେ ନବବଧୂକୁ ସଂକ୍ରମଣ ଆଶଙ୍କାରେ ନିର୍ଯାତନା ଅଭିଯୋଗ । ଭୂତାଣୁ ଭୟରେ ଖଟରେ ଶୋଇବାକୁ ଦେଲେନି ଶାଶୁଘର ଲୋକ

1,150

କନକ ବ୍ୟୁରୋ: କରୋନା ସନ୍ଦେହରେ ନବବଧୁକୁ ନିର୍ଯାତନା ଅଭିଯୋଗ । ନବବଧୁକୁ ଶୋଇବାକୁ ଦେଲେନି ଖଟରେ । ଚଟାଣରେ ଶୋଇବାକୁ ବାଧ୍ୟ କଲେ ଶାଶୁଘର ଲୋକ । ବିବାହର ୧୦ ଦିନ ଭିତରେ ଏପରି ନିର୍ଯାତନା ସହିବାକୁ ପଡିଛି ଜଣେ ନବବଧୂକୁ । ବଧୂ ନିର୍ଯାତନାର ଏଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଉଚ୍ଚ ଶିକ୍ଷିତ ଯୁବକକୁ ବିବାହ କରିଥିଲେ । ହାତରୁ ମେହେନ୍ଦି ବି ଲିଭିନଥିଲା । ଏପରି ସ୍ଥିତିରେ ବୋହୂକୁ ଥଣ୍ଡା କାଶ ହୋଇଥିଲା । ଏହାପରେ ଶାଶୁ ଘର ଲୋକେ ବୋହୂକୁ କରୋନା ସଂକ୍ରମଣ ଆଶଙ୍କାରେ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ ବୋଲି ଅଭିଯୋଗ କରିଛନ୍ତି ନବବଧୂଙ୍କ ପରିବାର ।

ତେବେ ବିବାହ ପରେ ଯୌତୁକକୁ ନେଇ ଶାଶୁ ଘର ଲୋକେ ବୋହୂ ଉପରେ ଅସନ୍ତୁଷ୍ଟ ଥିଲେ । ଅଧିକ ଟଙ୍କା ଆଣିବାକୁ ଚାପ ବି ପକାଉଥିଲେ । ଏପରି ସମୟରେ ଯେତେବେଳେ ନୂଆବୋହୂକୁ ଥଣ୍ଡା କାଶ ହେଲା ଶାଶୁ ଘର ଲୋକେ କରୋନା ସଂକ୍ରମଣ ସନ୍ଦେହରେ ନିର୍ଯାତନା ଦେଇଥିଲେ । ଶେଷରେ ବୋହୂଙ୍କୁ ତାଙ୍କ ବାପ ଘରେ ଆଣି ଛାଡି ଦେଇଯାଇଛନ୍ତି ଶାଶୁ ଘର ଲୋକ । ଏପରି ଘଟଣାକୁ ନେଇ ଚିନ୍ତାରେ ପଡିଛନ୍ତି ନବବଧୂଙ୍କ ପରିବାର । ଏନେଇ ଉମରକୋଟ୍ ଥାନାରେ ନବବଧୂଙ୍କ ପରିବାର ଏତଲା କରିବା ପରେ ସ୍ୱାମୀ ଓ ଶଶ୍ୱୁରଙ୍କୁ ଗିରଫ କରାଯାଇଛି ।