ଶିକ୍ଷକଙ୍କ ହାତରେ ଝାଡୁ : ସ୍କୁଲ ଅପରିଷ୍କାର ଥିବାରୁ ଶିକ୍ଷକଙ୍କୁ ଝାଡ଼ୁ ମାରିବାକୁ କହିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ପ୍ରତିବାଦ କଲା ସଂଘ

178

କନକ ବ୍ୟୁରୋ : ସ୍କୁଲ ଅପରିଷ୍କାର ଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦୀଶ ଗୌଡ଼ଙ୍କୁ ଝାଡ଼ୁ ମାରିବାକୁ କହିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀ ଗୁଡ଼ା ପଞ୍ଚାୟତରୁ ଆସିଛି ଏପରି ଅଭାବନୀୟ ଦୃଶ୍ୟ । ଭେଣ୍ଡିଆ ୟୁଜି ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମ ଲାଲ ନାୟକ । ସେଠାରେ ବିଦ୍ୟାଳୟ ଅପରିଷ୍କାର ଥିବା ଦେଖିଥିଲେ । କାହିଁକି ବିଦ୍ୟାଳୟ ଝାଡ଼ୁ କରାଯାଇ ନାହିଁ ବୋଲି କହି ପ୍ରଶ୍ନ କରିବା ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦୀଶ ଗୌଡ଼ଙ୍କୁ ଝାଡ଼ୁ କରିବାକୁ କହିଥିଲେ । ପରେ ତାର ଭିଡିଓ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ସେହିପରି ଗମ୍ଭାରୀ ଗୁଡ଼ା ପଂଚାୟତର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସ୍କୁଲ ଅପରିଷ୍କାର ଥିବାରୁ ଶିକ୍ଷକଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଝାଡ଼ୁ ମାରିବାକୁ କହିଥିଲେ ।

ଯାହାକୁ ପ୍ରତିବାଦ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଝାଡୁ ମାରିଲେ ଶିକ୍ଷକ ସଂଘ । ଶିକ୍ଷକଙ୍କ ଆତ୍ମସମ୍ମାନ ପ୍ରତି କୁଠାରଘାତ ହୋଇଥିବା ଅଭିଯୋଗ ଆଣିବା ସହ ଶିକ୍ଷକ ସମାଜ ଗୋଟିଏ ନିଚସ୍ତରର ବୋଲି ଦର୍ଶାଇବାକୁ ଅଧିକାରୀ ଜଣକ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ଶିକ୍ଷକ ସଂଘ । ଯାହାର ପ୍ରତିବାଦ କରି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଝାଡୁ ମାରିଥିଲେ । ଯେଉଁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭେଣ୍ଡିଆ ସ୍ଥିତ ୟୁଜି ହାଇସ୍କୁଲକୁ ଯାଇ ଅଳିଆ ଆବର୍ଜନା ଥିବା କହି ପ୍ରଧାନଶିକ୍ଷକକୁ ଝାଡୁ ଧରାଇ ଭିଡିଓ ଭାଇରାଲ କରିଥିଲେ ।

ସେହି ଏଡିଇଓଙ୍କ ଚାମ୍ବରରେ ଅଳିଆ ଆବର୍ଜନା ଥିବା ସହ ତାଙ୍କ କାର୍ଯ୍ୟାଳୟର ଉପର ମହଲା ପାହାଚରେ ପାନ ଗୁଟଖା ଛେପ ଥିବାରୁ ଶିକ୍ଷକମାନେ ଝାଡୁ ମାରି ସଫା କରିଥିଲେ । ଏଡିଇଓ ରେଶମ ଲାଲ ନାୟକଙ୍କ ରୁମରୁ ଅଳିଆ ଆବର୍ଜନା ବାହାର କରିବା ସହ ପାଇଖାନା ଅପରିଷ୍କାର ଥିବା ଦେଖାଇଥିଲେ ଶିକ୍ଷକମାନେ । ଘଟଣା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷମା ମାଗନ୍ତୁ ବୋଲି କହିଥିଲେ ଶିକ୍ଷକ ସଂଘ । ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଭୁଲ ମାଗିଥିଲେ । କିନ୍ତୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଘଟଣା ନେଇ ଭୁଲ ମାଗିନାହାନ୍ତି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷମା ନମାଗିଲେ ଆନ୍ଦୋଳନ ଆପଣାଯିବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।