ଦୁଷ୍କର୍ମ ହୋଇନି, ପ୍ରେମ ପାଇଁ ହତ୍ୟା: ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ପଷ୍ଟୀକରଣ ରଖିଲେ ଏସପି

697

କନକ ବ୍ୟୁରୋ: ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ଆସିଲା ନୂଆମୋଡ । ନାବାଳିକାଙ୍କୁ ଦୁଷ୍କର୍ମ ହୋଇନି ବରଂ ଏକ ତରଫା ପ୍ରେମରୁ ହତ୍ୟା କରାଯାଇଥିବା କହିଲେ ନବରଙ୍ଗପୁର ଏସପି । ପ୍ରେସମିଟ କରି ଘଟଣା ନେଇ ସ୍ପଷ୍ଟୀକରଣ ଦେଲେ ଏସପି କୁଶଲକର ନୀତିନ  ।

ତେବେ କୋଷାଗୁମୁଡା ନାବାଳିକାଙ୍କୁ ଏକ ତରଫା ପ୍ରେମରୁ ହତ୍ୟା କରାଯାଇଛି । ବାରମ୍ବାର ପ୍ରେମ ନିବେଦନ ପରେ ବି ଗ୍ରହଣ ନକରିବାରୁ ହତ୍ୟା କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା ଜଣାପଡିଛି । ସେପଟେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ ମିଳିଥିବା ୨ ଜିନ ପ୍ୟାଣ୍ଟ ନେଇ ଅଧିକ ତଦନ୍ତ ଚାଲିଛି । ତେବେ ଆଗକୁ ଗିରଫ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ଏସପି ନୀତିନ ।

କିଛି ଦିନ ତଳେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ନେଇ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ବିଳମ୍ବରେ ଆସିଥିଲେ ହେଁ ରିପୋର୍ଟରେ ଦୁଷ୍କର୍ମ କଥା ଉଲ୍ଲେଖ ନଥିଲା । କେବଳ ତଣ୍ଟି ଚିପି ହତ୍ୟା ହୋଇଥିବା କଥା ଉଲ୍ଲେଖ ଥିବାରୁ ପରିବାର ଲୋକେ ଅସନ୍ତୋଷ ଜାହିର କରିଥିଲେ । ପୋଲିସ ପରିବାର ଲୋକଙ୍କୁ ରିପୋର୍ଟ କପି ନଦେଇ କେବଳ ପଢି ଶୁଣାଇଥିବାରୁ ରାଜନୀତି ଜୋର ଧରିଥିଲା । ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ନବରଙ୍ଗପୁର ବନ୍ଦ କରିଥିଲା କଂଗ୍ରେସ ।