କରୋନା କଟକଣା ଯୋଗୁଁ ନବରଙ୍ଗପୁର ପୂଜା ବଜାରରେ ନାହାନ୍ତି ଗ୍ରାହକ । ମାନ୍ଦା ବ୍ୟବସାୟୀକୁ ନେଇ ଚିନ୍ତାରେ ବ୍ୟବସାୟୀ 

71
କନକ ବ୍ୟୁରୋ : ମାନ୍ଦା ପୂଜା ବଜାର । କରୋନା ଯୋଗୁଁ ଦୁଇ ବର୍ଷ ହେଲେ ପୂଜା ବଜାର ବୁଲିବା ମନା । ଶ୍ରଦ୍ଧାଳୁ ପୂଜା ବଜାରକୁ ଆସୁନାହାନ୍ତି, କି ଦୋକାନରେ ବିକ୍ରିବଟା ନାହିଁ । ନବରଙ୍ଗପୁର ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳୀ ଉମରକୋଟ ବଜାରରେ କରୋନା ପ୍ରଭାବ ଦେଖିବାକୁ ମିଳିଛି । ପର୍ବରୁ ପୂଜା ସମୟରେ ପୋଡ଼ଶୀ ଛତିଶଗଡ଼ ଠାରୁ ଆରମ୍ଭ କରି କଳାହାଣ୍ଡି-କୋରାପୁଟ ଜିଲ୍ଲାର ବ୍ୟବସାୟୀ ଓ ଗ୍ରାହକମାନେ ଉମରକୋଟ୍କୁ ଆସି କିଣାକିଣି କରିଥାନ୍ତି । କିନ୍ତୁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉମରକୋଟ୍ ବଜାରରେ ନୀରବତାର ରାଜୁତି କରୁଛି ।
ଖାଁ ଖାଁ ପୂଜା ବଜାର । ନା ଅଛି ସାଜସଜା ନା ଗ୍ରାହକଙ୍କ ଭିଡ଼ । କାଁ ଭାଁ କିଛି ହାତ ଗଣତି ଗ୍ରାହକରେ ଚାଲିଛି ପୂଜା ବଜାର । ପୂଜା ସମୟରେ ନବରଙ୍ଗପୁରର ଦ୍ୱିତୀୟ ବୃହତମ ବ୍ୟବସୟିକ ପେଣ୍ଠ ସ୍ଥଳୀ ଉମରକୋଟରେ ପୋଡ଼ଶୀ ରାଜ୍ୟ ଛତିଶଗଡ଼, ପଡୋଶୀ ଜିଲ୍ଲା କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଗ୍ରାହକଙ୍କ ଭିଡ ଲାଗେ । ଗ୍ରାହକଙ୍କ ଗହଳିରେ ଫାଟି ପଡେ ସହର । ଗ୍ରାହକ କମ ଦରରେ ଭଲ ଜିନିଷ ପାଇ ଖୁସି ହେଉଥିବା ବେଳେ ବ୍ୟବସାୟୀ ଭଲ ରୋଜଗାର କରିଥାନ୍ତି । ହେଲେ କରୋନା ଯୋଗୁଁ ୨ ବର୍ଷ ହେଲା ପୂଜା ବଜାର ଫିକା ପଡିଛି ।
କରୋନା ଲକଡାଉନ-ସଟଡାଉନରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀ ପୂଜା ବଜାରରୁ ଦୁଇ ପଇସା ରୋଜଗାରର ଆଶା ରଖିଥିଲେ । ହେଲେ କରୋନ ସଂକ୍ରମଣ ବଢିବା ଆଶଙ୍କ କରି ସରକାର ପୂଜା ଗାଇଡଲାଇନ୍ ଆଣିବାରୁ ବିନା ସାଜସଜ୍ଜା ବିନା ଭକ୍ତରେ ଶାରଦୀୟ ପୂଜା ପାଳନ ହେଉଛି । ରଂଗୀନ ଆଲୁଅର ସାଜସଜା ନାହିଁ କି ଆକର୍ଷଣୀୟ ତୋରଣ ନାହିଁ । ତେଣୁ ପୂଜା ଦେଖିବାକୁ ଦର୍ଶକ ଆସୁନାହାନ୍ତି କି କିଣାକିଣି କରୁନାହାନ୍ତି ।
ପ୍ରତିବର୍ଷ ପୂଜାକୁ ଅପେକ୍ଷା କରାଯାଇଥାଏ । ପାର୍ବଣ ଆସିବ, ପୂଜା ହେବ, ମଣ୍ଡପରେ ଦେବୀଙ୍କ ଦର୍ଶନ କରିବା ସହ ପୂଜା ବଜାର ବୁଲି ଖିଆପିଆ ଓ କିଣାକିଣି ହେବ । ହେଲେ ୨ ବର୍ଷ ହେଲା ସେଥିରେ ରୋକ ଲଗେଇ ଦେଇଛି କରୋନା ।