ପ୍ରଥମେ ବନ୍ଧୁତା…ପରେ ପ୍ରେମ ନିବେଦନ..ଶେଷରେ ମହିଳାଙ୍କ ଅଶ୍ଳୀଳ ଫଟୋ ଛାଡି ବ୍ଲାକମେଲ୍ ଉଦ୍ୟମ : ପଞ୍ଜାବରୁ ନବରଙ୍ଗପୁର ଆସିଥିବା ଯୁବକ ଗିରଫ

1,767

କନକ ବ୍ୟୁରୋ : ପ୍ରଥମେ ଫେସବୁକରେ ମହିଳାଙ୍କ ସହ ବନ୍ଧୁତା, ପରେ ପ୍ରେମ ନିବେଦନ ଓ ଶେଷରେ ମହିଳାଙ୍କ ଅଶ୍ଳୀଳ ଫଟୋ ଛାଡି ବ୍ଲାକମେଲ ଉଦ୍ୟମ । ଏଭଳି ଅଭିଯୋଗ ପାଇଁ ପଂଜାବରୁ ନବରଙ୍ଗପୁର ଆସିଥିବା ଜଣେ ଯୁବକକୁ ବାନ୍ଧିଛି ପୁଲିସ । ଅଭିଯୁକ୍ତ ହେଉଛି ପଂଜାବ ଗୁରୁଦାସପୁର ଜିଲ୍ଲା ବାଗଲପୁର ଗାଁର ୱାରିଫ ନକଭି । ମହିଳାଙ୍କ ଚାଲାକ ଯୋଗୁଁ ପୁଲିସ ହାତରେ ଧରାପଡିଛି ଅଭିଯୁକ୍ତ । ଆଇଟି ଆକ୍ଟ ୬୭, ଆଇଟି ଆକ୍ଟ ୬୬, ଆଇପିସି ୨୯୪, ୨୯୨, ୫୦୬, ୫୦୭ ଧାରାରେ ମାମଲା ରୁଜୁ କରିଛି ନବରଙ୍ଗପୁର ପୁଲିସ । ପୁଲିସ ଅଭିଯୁକ୍ତ ୱାରିଫ ନକଭିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ, ନବରଙ୍ଗପୁରର ଜଣେ ମହିଳାଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲା ଗୁରୁଦାସପୁରର ୱାରିଫ । ସୋସିଆଲ ମିିଡିଆରେ କିଛି ଦିନର ବନ୍ଧୁତା ପରେ ୱାରିଫ ମହିଳାଙ୍କ ପ୍ରେମ ନିବେଦନ କରିଥିଲା । ହେଲେ ମହିଳା ମନା କରିବାରୁ ୱାରିଫ ମହିଳାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ଭାଇରାଲ କରିବ ବୋଲି ଧମକ ଦେଇଥିଲା । ତଥାପି ମହିଳା ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିବାରୁ ମହିଳାଙ୍କ ଫଟୋଗୁଡିକୁ ଏଡିଟିଙ୍ଗ କରି ଅଶ୍ଳୀଳ ଫଟୋ ଭାଇରାଲ କରିଥିଲା ।

ମହିଳା ଜଣକ କୌଣସି ଉପାୟ ନପାଇ ଏକ ମାସ ତଳେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । କିଛି ଦିନ ପରେ ଯୁବକ ଜଣକ ଫୋନ କରି ମହିଳାଙ୍କୁ ନବରଙ୍ଗ ଆସି ସାଙ୍ଗରେ ପଂଜାବ ନେଇଯିବାକୁ ପ୍ରସ୍ତାବ ଦେଇଥିଲା । ମହିଳା ଚତୁରତାର ସହ ୱାରିଫର ପ୍ରସ୍ତାବରେ ରାଜି ହୋଇ ନବରଙ୍ଗପୁର ଡକାଇଥିଲେ । ୱାରିଫ ନବରଙ୍ଗପୁର ଆସିବା ପରେ ପୁଲିସକୁ ସାଙ୍ଗରେ ଧରି ତା ନିକଟରେ ପହଂଚିଥିଲେ ମହିଳା । ମହିଳାଙ୍କ ଚତୁରତା ଯୋଗୁଁ ଅଭିଯୁକ୍ତ ୱାରିଫକୁ ସହଜରେ ଗିରଫ କରିପାରିଛି ପୁଲିସ ।