୫୭ କେଜିର ଟ୍ୟୁମର ବାହାରିବା ପରେ ଏବେ ସୁସ୍ଥ ଅନୁଭବ କରୁଛନ୍ତି ନବରଙ୍ଗପୁରର ଫୁଲମତି । ଉପହାସ ପାଲଟିଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ୧୦ବର୍ଷ ଧରି ସରକାରୀ ହସ୍ପିଟାଲ ଦୌଡୁଥିଲେ ମଧ୍ୟ ଆର୍ଥିକ ଅନଟନ କାରଣରୁ ହୋଇପାରୁନଥିଲା ଅପରେସନ ।

267

କନକ ବ୍ୟୁରୋ : ପେଟରେ ୫୭ କେଜିର ଟ୍ୟୁମର ବାହାରିବା ପରେ ଏବେ ସୁସ୍ଥ ଅଛନ୍ତି, ନବରଙ୍ଗପୁରର ଫୁଲମତି । ହେଲେ, ଫୁଲମତିଙ୍କ ପେଟରୁ ସିନା ଟ୍ୟୁମର ବାହାରିଯାଇଛି କିନ୍ତୁ ଏହି ୧୦ବର୍ଷ ତାଙ୍କୁ ନାକେଦମ ହେବାକୁ ପଡିଛି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପାଇଁ ଉପହାସ ପାଲଟି ଯାଇଛି । କାରଣ ବର୍ଷ ବର୍ଷ ଧରି ଫୁଲମତି ବିଭିନ୍ନ ସରକାରୀ ହସ୍ପିଟାଲକୁ ଦୌଡିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ଆଉ ଫୁଲମତି ଆର୍ଥିକ ଅନଟନ ଭିତରେ ଥିବାରୁ ଅପରେସନ ବି କରିପାରୁନଥିଲେ । ତେବେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ?
ଯେତେବେଳେ ମହିଳାଙ୍କ ସ୍ୱାସ୍ଥ୍ୟ କଥା ଉଠେ, ସେତେବେଳେ ଆଖି ଆଗକୁ ଆସିଯାଏ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କଥା । ଜଣେ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା ବାବଦ ଅର୍ଥରାଶି ରହିଛି ୧୦ ଲକ୍ଷ ଟଙ୍କା । କିନ୍ତୁ ନବରଙ୍ଗପୁର ଏହି ୨୫ବର୍ଷିୟ ମହିଳା ଫୁଲମତି ୧୦ଲକ୍ଷ ଟଙ୍କାତ ଦୁରର କଥା ୧୦ବର୍ଷ ଧରି ସରକାରୀ ହସ୍ପିଟାଲ ଦୌଡି ଦୌଡି ନୟାନ୍ତ ହୋଇସାରିଥିଲେ । କେହି ବି ଅପରେସନ କରିବାକୁ ଆଗେଇ ଆସିଲେନି । ୫୭କେଜିର ଟ୍ୟୁମର ସହିତ ଏହି କୁଡିଆ ଘରେ ଜୀବନ-ମରଣର ଦୋଛକିରେ ସଂଘର୍ଷ କରୁଥିଲେ ଫୁଲମତି ।
କୁହୁଡି ସ୍ଥିତ ସାଇ ସେବା ସଦନ ହସ୍ପିଟାଲରେ ୫ଜଣ ଡାକ୍ତରଙ୍କ ଅକ୍ଳାନ୍ତ ୫ଘଂଟାର ପରିଶ୍ରମ ପରେ ପଦାକୁ ବାହାରି ଆସିଲା ୫୭ କେଜିର ଟ୍ୟୁମର । ଏବେ ସୁସ୍ଥ ଅନୁଭବ କରୁଛନ୍ତି ଫୁଲମତି । କଥାବାର୍ତା କରିବାକୁ ଯୁ ନାହିଁ କିନ୍ତୁ ଧୀରେ ଧୀରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ।
ଏହି ଟ୍ୟୁମର ଅପରେସନ ପୃଥିବୀର ଏକ ବିରଳ ଅପରେସନ ବୋଲି କୁହାଯାଉଛି । କାରଣ ଏହା ପୂର୍ବରୁ ନୂଆଦିଲ୍ଲୀରେ ଜଣେ ୫୨ ବର୍ଷିୟ ମହିଳାଙ୍କ ଠାରେ ୫୪ କେଜିର ଓଭାରିଆନ ଟ୍ୟୁମରକୁ ଅପରେସନ ଦ୍ୱାରା କଢାଯାଇଥିଲା । ସେହିପରି ବ୍ରାଜିଲର ଜଣେ ୫୭ବର୍ଷିୟ ମହିଳାଙ୍କ ଠାରୁ ୪୦ କେଜିର ଓଭାରିଆନ ଟ୍ୟୁମରକୁ କଢା ଯାଇଥିଲା ।