କନକ ବ୍ୟୁରୋ : ନବରଙ୍ଗପୁର ସହରରେ ଲାଗିଥିବା ରାଜନୈତିକ ଦଳର ହୋର୍ଡିଂକୁ ହଟାଇଲା ପୌର ପ୍ରଶାସନ । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳ ଗୁଡିକର ହୋର୍ଡିଂ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉମରକୋଟ ପୌର ପରିଷଦ ପକ୍ଷରୁ ସହରରେ ଲାଗିଥିବା ସମସ୍ତ ରାଜନୈତିକ ଦଳର ହୋର୍ଡିଂ ଗୁଡିକୁ ହଟା ଯାଉଥିବା ଦେଖିବାକୁ ମିଳିଛି ।

Advertisment

ତେବେ ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଜାଗା ମିସନ ଆଦିର ପ୍ରଚାର ପ୍ରସାର ପାଇଁ ବହୁ ଅର୍ଥ ବ୍ୟୟରେ ଲଗାଯାଇଥିବା ହୋର୍ଡ଼ିଂ ଗୁଡିକୁ କପଡ଼ା କିମ୍ବା ପଲିଥିନ୍ ସାହାଯ୍ୟରେ ଢାଙ୍କି ଦିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି । ସେହିପରି ସହରରେ ଲାଗିଥିବା ସମସ୍ତ ହୋର୍ଡିଂ ଉଠାଇବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ହୋର୍ଡ଼ିଂ ଉଠାଇବା କାର୍ଯ୍ୟ ପୌର ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ବେଳେ ପୌର କର୍ମଚାରୀ ଓ ପୋଲିସ୍ କର୍ମଚାରୀଙ୍କୁ ହୋର୍ଡିଂ ହଟାଇବା କାର୍ଯ୍ୟରେ ମୃତୟନ କରାଯାଇଛି ।