ବୋରୱେଲ ଖୋଳାଇ ଫସିଲେ ଚାଷୀ : ୨ବର୍ଷ ହେଲାଣି ସରିଲାଣି ଗଭୀର ନଳକୂପ, ଲାଗି ପାରୁନି ପମ୍ପସେଟ୍

101

କନକ ବ୍ୟୁରୋ : ଭଲ ଚାଷ କରିବା ପାଇଁ ଜମିରେ କରାଇଥିଲେ ଗଭୀର ନଳକୂପ । ହେଲେ ଆଶା ଆଶାରେ ରହି ଯାଇଛି । ବୋରୱେଲ ଖୋଳାଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ବର୍ଷକୁ ତିନି ଫସଲ ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ନବରଙ୍ଗପୁର ଉମରକୋଟରୁ ଆସିଛି ଚାଷୀ ସମସ୍ୟାର ଏପରି ଚିତ୍ର ।

ଜମିରେ ଖୋଳାଇଥିଲେ ଗଭୀର ନଳକୂପ । ବିଜୁ କୃଷକ ଯୋଜନାରେ ଚାଷୀ ଟଙ୍କା ବି ବାନ୍ଧିଥିଲେ । ଗଭୀର ନଳକୂପ ଖୋଳାଯିବାକୁ ୨ ବର୍ଷ ପୁରିଲାଣି , ଲାଗି ପାରିନି ପାଣି ପମ୍ପ । ଏହାରି ଭିତରେ ବର୍ଷକୁ ଉଠା ଜଳସେଚନରେ ତିନି ଫସଲ ଚାଷ କରିବାର ଯୋଜନା ରଖିଥିବା ଚାଷୀ ଉମରକୋଟରେ ଉଠାଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ଅଫିସ ଘେରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ଅଂଚଳରୁ ଆସିଛି ଏପରି ଅଭିଯୋଗ । ୨୦୧୭ – ୧୮ ମସିହାରୁ ଚାଷୀ ଅପେକ୍ଷା କରିଛନ୍ତି ଜମିରେ କେବେ ବସିବ ଉଠାଜଳସେଚନ ପମ୍ପ । ସେପଟେ ଟେଣ୍ଡର ହୋଇନି, କରୋନା ଆଳ ଦେଖାଇଛନ୍ତି ଉଠାଜଳସେଚନ ବିଭାଗ ଏସଡିଓ । ପାଣି ଅଭାବରୁ ଚାଷୀ ଏଥର ବି ଚାଷ କରିପାରିନାହାନ୍ତି । ଉଠାଜଳସେଚନ ବ୍ୟବସ୍ଥା କେବେ ହେବ, ଚାଷୀଙ୍କ ଭାଗ୍ୟ ସୁଧୁରିବା ତାକୁ ହିଁ ଅପେକ୍ଷା ।