କନକ ବ୍ୟୁରୋ: ଯେଉଁ ସ୍ଥାନରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ, ଯେଉଁ ସ୍ଥାନରୁ ଜିତି ସଂସଦକୁ ଯାଇଛନ୍ତି, ସେଠାରେ ଜୋରଦାର ବିରୋଧର ସାମ୍ନା କରୁଛନ୍ତି ସାଂସଦ ରମେଶ ମାଝୀ । ନବରଙ୍ଗପୁରର ବଡ଼ ଚେହେରା ହିସାବରେ ଜିଲ୍ଲା ରାଜନୀତିରେ ଯେଉଁ ପତିଆରା ତାଙ୍କର ରହିବା କଥା, ଠିକ୍ ଓଲଟା ଦିଗ ଏବେ ସାମ୍ନାକୁ ଆସୁଛି । ବଡ଼ କଥା ହେଉଛି, ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ବିଜେଡି ଆପଣେଇନେବା ପରେ ଅନୁମାନ କରାଯାଉଥିଲା ଜିଲ୍ଲାରେ ବିରୋଧୀ ଶୂନ୍ୟ ହୋଇଯିବେ । ହେଲେ ରମେଶ ମାଝୀ ଯେଉଁଭଳି ବିରୋଧର ସାମ୍ନା କରୁଛନ୍ତି, ତାହା ଦର୍ଶାଉଛି ଜନତାଙ୍କ ଆକ୍ରୋଶ ନେତାଙ୍କ ଉପରେ ବଢ଼ିବାରେ ଲାଗିଛି ।

Advertisment

ତାରିଖ ୧୦ ଫେବ୍ରୁଆରୀ ୨୦୨୨, ସ୍ଥାନ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୁମାମ ଗାଁ । ନବରଙ୍ଗପୁର ଝରିଗାଁରେ ବିଜେଡି ସାଂସଦ ରମେଶ ମାଝୀଙ୍କୁ ବିରୋଧ । ଇଛାପୁର ପଞ୍ଚାୟତର ଧୁମାମ ଗାଁକୁ ପ୍ରଚାରରେ ଯାଇଥିବାବେଳେ ଶତାଧିକ ଗ୍ରାମବାସୀ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି । ସାଂସଦ ନିଜ କର୍ମୀଙ୍କ ସହ ଶୋଭାଯାତ୍ରା ଓ ନିର୍ବାଚନ ପ୍ରଚାର କରିବା ସମୟରେ ଗାଁର କିଛି ଲୋକ ହାତରେ ଠେଙ୍ଗା ଓ ବାଡି ଧରି ତୀବ୍ର ବିରୋଧ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ, ଗାଁ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଶାସକ ଦଳର ନେତା ଓ କର୍ମୀମାନେ ପ୍ରାଣ ବିକଳରେ ଗାଡି ଧରି ଚମ୍ପଟ ମାରିଥିଲେ ।

ସେହିପରି ୦୯ ତାରିଖରେ ମଧ୍ୟ ଚନ୍ଦାହାଣ୍ଡି ବ୍ଲକ ଚକମାଲ ଗାଁରେ ବିରୋଧର ସମ୍ମୁଖୀନ ହୋଇଥିଲେ ସାଂସଦ । ଅନାକାବେଡା ପଞ୍ଚାୟତର ଚକମାଲ ଗାଁରେ ବୁଧବାର ବିଳମ୍ବିତ ରାତିରେ ସାଂସଦ ଶତାଧିକ ବିଜେଡି କର୍ମୀଙ୍କୁ ନେଇ ପ୍ରଚାର କରିବାକୁ ବାହାରିଥିଲେ । ହେଲେ ତାଙ୍କ ଗାଡ଼ିକୁ କଂଗ୍ରେସର ଜୋନ୍ ୧ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଘେରିଯାଇଥିଲେ । ରାତି ୮ ଟା ପରେ ପ୍ରଚାର କାର୍ଯ୍ୟ ବନ୍ଦର ନିୟମ ଥିବା ବେଳେ କାହିଁକି ସାଂସଦ ବୁଲୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।

ସେହିପରି ଶୁକ୍ରବାର ମଧ୍ୟ ସାଂସଦଙ୍କୁ ଅଣ୍ଡାମାଡ ଘଟଣାରେ ଜଣଙ୍କୁ ଗିରଫର ତୀବ୍ର ପ୍ରତିବାଦ ହୋଇଛି । ଥାନା ଘେରିଛନ୍ତି ଶହ ଶହ ଗ୍ରାମବାସୀ । ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ଛାଡିବା ପାଇଁ ଦାବି କରିଛନ୍ତି । ଗିରଫ ପ୍ରତିବାଦରେ ଏତେ ସଂଖ୍ୟାରେ ଲୋକ ଥାନାକୁ ଆସିଥିଲେ ଯେ, ଭିତର ପଟୁ ଗେଟ୍ ବନ୍ଦ କରି ଜଗି ରହିଥିଲେ ପୋଲିସ । ଆଉ ବାହାରେ ହୋହଲା କରିଥିଲେ ଗ୍ରାମବାସୀ । ସାଂସଦଙ୍କ ପ୍ରତିନିଧି ଝରିଗାଁ ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ମୁଣ୍ଡିମାଳ ଗାଁର ଚିତ୍ର ପ୍ରସାଦ ତ୍ୱିୱାରୀଙ୍କୁ ଉଠାଇ ଆଣିଛି । ତାଙ୍କୁ ତୁରନ୍ତ ଛାଡିଦେବା ପାଇଁ ଦାବି କରି ପ୍ରାୟ ୬ଟି ୱାର୍ଡର ଶହଶହ ଲୋକ ଥାନା ଘେରିବା ସହ ରାସ୍ତାରୋକ କରିଛନ୍ତି ।

ଅଣ୍ଡାମାଡ ଘଟଣାରେ ପୋଲିସ ଉଠାଇ ଆଣିଥିବା ଚିତ୍ର ପ୍ରସାଦ ତିୱାରୀ ଓରଫ କୁନୁ ବିଜେଡିରୁ ନିଲମ୍ବିତ ହୋଇ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି କର୍ମୀ ମଧ୍ୟ ଥାନା ଘେରାଉ କରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ନିଜ ସଂସଦୀୟ କ୍ଷେତ୍ରରେ ରମେଶ ମାଝୀଙ୍କୁ କାହିଁକି ଏତେ ବିରୋଧ କରାଯାଉଛି । ଏହା ଲୋକଙ୍କ ଆକ୍ରୋଶ ନାଁ ଏହା ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ରହିଛି ।