ନବୀନଙ୍କୁ ପ୍ରଶଂସା କରି ବିଜେଡିକୁ ବାଏ ବାଏ କଲେ ନବରଙ୍ଗପୁର ସାଂସଦ । କହିଲେ, ଶେଷଦିନରେ ଆଦର୍ଶଙ୍କୁ ଭେଟିବାକୁ ଦେଇନଥିବାରୁ ମର୍ମାହତ ।

390

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ପ୍ରଶଂସା କରି ଇସ୍ତଫା ଦେଲେ ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝୀ । ବିଜେଡିକୁ ବାଏ ବାଏ କହିଥିବା ବଳଭଦ୍ର ୪ ପୃଷ୍ଠା ସମ୍ଭଳିତ ଇସ୍ତଫାପତ୍ରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଇସ୍ତଫା ପତ୍ରରେ ବଳଭଦ୍ର ଲେଖିଛନ୍ତି ଯେ, ସେ ସାଂସଦ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ନବରଙ୍ଗପୁରରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ହୋଇଛି । ଯେଉଁଥିରେ ରେଳପ୍ରକଳ୍ପ, ବିଦ୍ୟୁତୀକରଣ, ଶିକ୍ଷା, ଜଳସେଚନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ବିକାଶ ହୋଇଛି । ଆଉ ଏସବୁ ଆପଣଙ୍କ ବିନା ସହଯୋଗରେ କେବେ ବି ସଫଳ ହୋଇପାରି ନଥାଆନ୍ତା । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବଳଭଦ୍ର ।

ଅନ୍ୟପଟେ ବିଜେଡିରୁ କାହିଁକି ଇସ୍ତଫା ଦେବା ନେଇ ବଳଭଦ୍ର କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ନବରଙ୍ଗପୁର ବିକାଶ କାର୍ଯ୍ୟରେ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛି । ମୁଖ୍ୟମନ୍ତ୍ରୀ ବେଶ ଭଲ କାମ କରିଛନ୍ତି । ନବୀନ ମୋ ଆଦର୍ଶ କିନ୍ତୁ ଆଗାମୀ ନିର୍ବାଚନ ପୂର୍ବରୁ ଦଳ ମୋତେ ଅଣଦେଖା କରିଛି । ଏପିରିକି ଆସନ୍ତା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ସୁଦ୍ଧା ମୋତେ ଭେଟ କରାଇଦିଆଗଲା ନାହିଁ । ଯାହାକୁ ନେଇ ମୁଁ ମର୍ମାହତ । ତେଣୁ ଦଳରୁ ଇସ୍ତଫା ଦେବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ବଳଭଦ୍ର ।

ସେପଟେ ବଳଭଦ୍ର ଇସ୍ତଫା ଦେବାପରେ କେଉଁ ରାଜନୈତିକ ଦଳକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଉଠିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ବଳଭଦ୍ର । କହିଛନ୍ତି ଯେ, ଏଯାବତ୍ କୌଣସି ଦଳ ସହିତ ଯୋଗଯୋଗରେ ନାହିଁ । କିନ୍ତୁ ମୁଁ ଲୋକଙ୍କ ସହିତ ରହିଛି ଏବଂ ଶେଷ ଜୀବନ ପର୍ଯ୍ୟନ୍ତ ଲୋକଙ୍କ ସବାରେ ରହିବି ବୋଲି କହିଛନ୍ତି ବଳଭଦ୍ର ମାଝୀ ।

ଗତ ଲୋକସଭା ନିର୍ବାଚନରେ ନବରଙ୍ଗପୁରରେ ବିଜେଡି ଟିକେଟରେ ଲଢ଼ିଥିବା ବଳଭଦ୍ର କଂଗ୍ରେସର ହେଭିୱେଟ ପ୍ରଦୀପ ମାଝୀଙ୍କୁ ୨୦୦୦ରୁ କମ ଭୋଟରେ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବାବେଳେ ଏବେ ବିଜେଡିକୁ ବାଏ ବାଏ କହିବା ଦଳକୁ ଘାଟା ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି । ସେପଟେ ବଳଭଦ୍ର କେଉଁ ଦଳକୁ ଯିବେ ନା ରାଜନୀତିରୁ ବିଦାୟ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।