ଜାତୀୟ ବ୍ରାଣ୍ଡରେ ପରିଣତ ହେବ ନବରଙ୍ଗପୁର ମାଣ୍ଡିଆ : ଶିଶୁଙ୍କୁ ଦିଆଯିବ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ

Advertisment
ଜାତୀୟ ବ୍ରାଣ୍ଡରେ ପରିଣତ ହେବ ନବରଙ୍ଗପୁର ମାଣ୍ଡିଆ : ଶିଶୁଙ୍କୁ ଦିଆଯିବ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ

କନକ ବ୍ୟୁରୋ : ଜାତୀୟ ବ୍ରାଣ୍ଡରେ ପରିଣତ ହେବ ନବରଙ୍ଗପୁର ମାଣ୍ଡିଆ  । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁରଠାରେ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହୋଇ ମାଣ୍ଡିଆରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯିବ । ଏହାକୁ ବଜାରରେ ପ୍ୟାକେଟ କରି ବିକ୍ରି ବ୍ୟବସ୍ଥା କରାଯିବ । ଜାତୀୟସ୍ତରର ପ୍ୟାକେଟଯୁକ୍ତ ଖାଦ୍ୟ ବ୍ରାଣ୍ଡ ଭଳି ଏହାର ନାମକରଣ ମଧ୍ୟ ହେବ । ଆଗାମୀ ଦିନରେ ଦିଲ୍ଲୀ ପ୍ରଗତି ମଇଦାନରେ ଅନୁଷ୍ଠିତ ଜାତୀୟ ଖାଦ୍ୟ ବଜାରରେ ଏହି ବ୍ରାଣ୍ଡର ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ ହେବ ।

ନବରଙ୍ଗପୁର ଆରଏମସି ପକ୍ଷରୁ ମାଣ୍ଡିଆ ମଣ୍ଡି ଉଦଘାଟନ ଅବସରରେ ଏହି କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର। ମାଣ୍ଡିଆରେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବାର କ୍ଷମତା ରହିଛି । ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି । ତେଣୁ ଜିଲ୍ଲାର ଗର୍ଭବତୀ ଏବଂ ଶିଶୁଙ୍କୁ ମଧ୍ୟ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦିଆଯିବାକୁ ପ୍ରଶାସନ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଏଥିପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଦାୟିତ୍ବ ଦିଆଯିବ । ମାଣ୍ଡିଆ ସଂଗ୍ରହ ପରେ ମହିଳାମାନେ ପ୍ରକ୍ରିୟାକରଣ ୟୁନିଟ ଦ୍ବାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ସହ ବିତରଣ କରିବେ। ଇତିମଧ୍ୟରେ ୪୦ଜଣ ମହିଳାଙ୍କୁ ହାଇଦ୍ରାବାଦ ସ୍ଥିତ ସିଫାକୁ ତାଲିମ ପାଇଁ ପଠାଯାଇଛି । ଆଗକୁ ଆହୁରି ୨୦ଜଣ ମହିଳାଙ୍କୁ ତାଲିମ ଦେବା ନିମନ୍ତେ ବୈଜ୍ଞାନିକଙ୍କୁ ଡକାଯାଇଛି । ମାଣ୍ଡିଆରେ ବିସ୍କୁଟ ସହ କେକ୍ ଓ ବିରିଆନି ଭଳି ଖାଦ୍ୟ ପ୍ରସ୍ତୁତ କରାଯିବ। ପରୀକ୍ଷାମୂଳକ ଭାବେ ମଣ୍ଡେଇ ମହୋତ୍ସବ ପଲ୍ଲୀଶ୍ରୀ ମେଳାରେ ମିଲଟ ମିଶନ ପକ୍ଷରୁ ଏଥିନିମନ୍ତେ ଷ୍ଟଲ ଖୋଲିଥିଲା । ଏହି ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ବିରିଆନିର ସ୍ବାଦ ଲୋକଙ୍କୁ ଆକୃଷ୍ଟ କରିଥିଲା ବୋଲି ଜିଲ୍ଲାପାଳ କହିଥିଲେ ।

publive-image https://cropgenebank.sgrp.cgiar.org/

ମାଣ୍ଡିଆ ଚାଷ ପାଇଁ ନବରଙ୍ଗପୁର ଜିଲ୍ଲାର ପାଣିପାଗ ଅନୁକୂଳ । ଚାଷ ପାଇଁ ବି ଜିଲ୍ଲାରେ ପର୍ୟ୍ୟାପ୍ତ ଜମି ରହିଛି । ପୂର୍ବରୁ ଜିଲ୍ଲାରେ ବ୍ୟାପକ ଭାବେ ମାଣ୍ଡିଆ ଚାଷ ହେଉଥିଲା । ସମୟକ୍ରମେ ଚାଷୀ ଏଥିରୁ ବିମୁଖ ହୋଇ ମକା ଚାଷ କରୁଛନ୍ତି। ଜିଲ୍ଲାର ପ୍ରାୟ ୩୫ପ୍ରତିଶତ ଜମିରେ ମକା ଚାଷ ହେଉଛି । ଏହାଦ୍ବାରା ଜମିର ଗୁଣାତ୍ମକମାନ କମିବାରେ ଲାଗିଛି । ତେଣୁ ଚାଷୀଙ୍କ ମାନସିକାତରେ ପରିବର୍ତ୍ତନ ଆଣିବାକୁ ପ୍ରଶାସନର ଚେଷ୍ଟା ଜାରି ରହିଛି। ଚଳିତ ବର୍ଷ ମିଲେଟ ମିସନ ଜରିଆରେ ନବରଙ୍ଗପୁର, ପାପଡ଼ାହାଣ୍ଡି, କୋଷାଗୁମୁଡ଼ା, ଉମରକୋଟ ଓ ଝରିଗାଁ ବ୍ଲକରେ ୧୮୧୬ଜଣ ଚାଷୀ ୫୭୬ହେକ୍ଟର ଜମିରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରିଛନ୍ତି ।

ଆସନ୍ତା ବର୍ଷ ଜିଲ୍ଲାର ୧୦ଟି ବ୍ଲକ୍ରେ ମାଣ୍ଡିଆ ଚାଷ କରିବାକୁ ଲକ୍ଷ୍ୟ ରହିଛି ବୋଲି ସୂଚନା ମିଳିଛି । ଆଜି ମାଣ୍ଡିଆ ମଣ୍ଡି ଉଦଘାଟନ ସମୟରେ କୃଷି ଉପନିର୍ଦେଶକ ବ୍ରଜ କିଶୋର ଲେଙ୍କା, ଏଆର୍ସିସି ସମ୍ପାଦକ ଚନ୍ଦ୍ର ସେଠିଆ, ଆର୍ଏମ୍ସି ସମ୍ପାଦକ ଅବକାଶ ବେହେରା, ଲ୍ୟାମ୍ପସ ନିର୍ଦେଶକ ବାସୁଦେବ ପଟ୍ଟନାୟକ, ଚାଷୀ ନେତା ଝାଡ଼େଶ୍ବର ଖାଡ଼ଙ୍ଗା, ସଭ୍ୟ ଆଶିଷ ରଂଜନ ପଟ୍ଟନାୟକ, କୃଷି ଅଧିକାରୀ ଆନନ୍ଦ ରାଓ, ଟିଡିସିସି ପରିଚାଳକ ବ୍ରଜ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe