କନକ ବ୍ୟୁରୋ: ଲାଖ କାମ ପାଇଁ ନବରଙ୍ଗପୁର ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଏହାର ଚାହିଦା ରହିଛି । ଆଉ ପିଢି ପରେ ପିଢି ଏହି କାମକୁ ଆପଣାଇ କିଛି ରୋଜଗାର କରୁଛନ୍ତି କାରିଗର । କଂଚାମାଲ, ପ୍ରୋତ୍ସାହନ ଅଭାବରୁ ଲାଖ ହସ୍ତଶିଳ୍ପ ଲୋପ ପାଇବାକୁ ବସିଥିବା ବେଳେ ଏବେ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି କରିଛନ୍ତି କାରିଗର । ଏନେଇ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି । ପୂର୍ବରୁ ନବରଙ୍ଗପୁର ଶଙ୍ଖାରୀ ସାହିର ପ୍ରାୟ ୪୦ ପରିବାର ଲାଖ ଜିନିଷ ପ୍ରସ୍ତୁତି କରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ ଏହା ୧୫କୁ ପହଂଚିଛି । କେବଳ ଚନ୍ଦାହାଣ୍ଡି ଅଂଚଳର ପାଟଖଲିଆ, ବଡଝରିଆ, ବନ୍ଧକୋନା ଅଂଚଳରେ ଥିବା ଜଙ୍ଗଲର ପଳାସ ଓ କୁସୁମି ଗଛରେ ଏକ ପ୍ରକାର ପୋକକୁ ଚାଷୀ ମାନେ ଛାଡିଥାନ୍ତି । ଉକ୍ତ ପୋକର ଲାଳରୁ ପ୍ରସ୍ତୁତ ଜଉକୁ ଏକ କାଠି ସାହାଯ୍ୟରେ ବାହାର କରି କେଜି ପିଛା ୯ ଶହରୁ ୧ ହଜାର ଟଙ୍କାରେ କିଣି ଆଣିଥାନ୍ତି ।

Advertisment

ଏକ ସ୍ୱତନ୍ତ୍ର ପ୍ରକାର ଜଉକୁ ନିଅାଁରେ ତରଳାଇ ଲାଖ ପ୍ରସ୍ତୁତି କରନ୍ତି । ଟେରାକୋଟା, ବାଉଁଶ ପେଡ଼ି, ଶୁଖିଲା ପଇଡ଼, ହାତୀଘୋଡ଼ା, ମୟୁର, କଇଁଛ, ମାଛ, କଳସ, ଦେବାଦେବୀଙ୍କ ପ୍ରତିମୂର୍ତି, ଚୁଡ଼ି ଓ ବେତବାଡ଼ି ଭଳି ଜିନିଷରେ ଲାଖର ପ୍ରଲେପ ଦେଇ ଆକର୍ଷଣୀୟ କରିଥାଆନ୍ତି ଶିଳ୍ପୀ । ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଲାଖରେ ତିଆରି ସାମଗ୍ରୀକୁ ବିଭିନ୍ନ ପ୍ରଦର୍ଶନୀ ଓ ଭୁବନେଶ୍ୱରରେ ଥିବା ଉତ୍କଳିକା ଓ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକରେ ବିକ୍ରି କରାଯାଇଥାଏ । ୨୦୧୮ ମସିହାରେ କଟକ ଠାରେ ଅନୁଷ୍ଠିତ ହକି ବିଶ୍ୱକପ୍ରେ ସାରା ବିଶ୍ୱର ଖେଳାଳୀଙ୍କୁ ଲାଖରେ ପ୍ରସ୍ତୁତ ୮୦୦ଟି ପେଡ଼ି ଦେଇ ସାରା ବିଶ୍ୱରେ ଲାଖ କାରିଗରୀ ପହଂଚାଇଥିଲେ ଏହି ଶିଳ୍ପୀ । କାହିଁ କେଉଁକାଳରୁ ରାଜାରାଜୁଡ଼ା ଅମଳରୁ ନବରଙ୍ଗପୁରର ଏହି ଲାଖ କଳାର ଚାହିଦା ରହିଛି । ଆଧୁନିକତାର ଛାପରେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲାଖି ଶିଳ୍ପୀ ଏବେ ଏହି କାରିଗରୀରୁ ମୁହଁ ଫେରାଇଲେଣି ।

ବର୍ତମାନ ଲାଖ କଂଚାମାଲ ଉପରେ ନଜର ପକାଇଛନ୍ତି ଛତିଶଗଡ଼ ବ୍ୟବସାୟୀ । ବ୍ୟବସାୟୀ ମାନେ କଂଚାମାଲ ସଂଗ୍ରହ କରି ବିଭିନ୍ନ କଳକାରଖାନାକୁ ପଠାଇ ଲାଭବାନ ହେଉଥିବା ବେଳେ ବ୍ୟବସାୟୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।