ମୁକ୍ତ ହେଲା କୁନିଝିଅକୁ କାମୁଡିଥିବା ନାଗସାପ : ଖବର ପ୍ରସାରଣ ପରେ ସାପକୁ ମୁକ୍ତ କଲା ବନବିଭାଗ; ସେପଟେ, ଗୁରୁତର କୁନିଝିଅକୁ ଏସସିବିରେ ଭର୍ତ୍ତି

389

କନକ ବ୍ୟୁରୋ : ବନ୍ଦୀରୁ ମୁକ୍ତ ହେଲା ନାଗସାପ । ନବରଙ୍ଗପୁରରେ କୁନି ଝିଅକୁ କାମୁଡିଥିବା ସାପ ଶେଷରେ ମୁକ୍ତ ହୋଇଛି । ଖବର ପ୍ରସାରଣ ପରେ ବନ ବିଭାଗ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଛି । ତେବେ ସାପଟିକୁ ଚିକିତ୍ସା ପାଇଁ ନେଇଯାଉଥିବାବେଳେ ଅଧବାଟରେ ଛାଡି ଦେଇଥିବା ଜଣାପଡିଛି ।

ସେପଟେ କୁନି ଝିଅର ଯନ୍ତ୍ରଣା ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ବିଷଧର ସାପ କାମୁଡିବା ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଛି । ହେଲେ, ପରିବାରର ଆର୍ଥିକ ସ୍ଥିତି ଝିଅର ଚିକିତ୍ସା ପାଇଁ ବାଧକ ସାଜିଥିବା ଓ ଭାଗ୍ୟକୁ ଆଦରି ଗତ ମାସେ ଧରି ପଡି ରହିଥିଲା ନଅ ବର୍ଷର ଝିଅ ମଞ୍ଜୁଳା । ଏହି ଖବର ପ୍ରସାରଣ ପରେ ଛୋଟ ଝିଅଟିକୁ ରାଇଘର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଚାରି ଜଣିଆ ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ପଠାଇଥିଲେ । ଝିଅଟି କଟକ ଏସସିବି ମେଡକାଲରେ ପହଂଚିଥିବାବେଳେ ତାର ଚିକିତ୍ସା ଆରମ୍ଭ ହୋଇଛି । ଝିଅଟିର ଚିକିତ୍ସା ପାଇଁ ପ୍ରଥମେ ରେଡକ୍ରସରୁ ଜିଲ୍ଲାପାଳ ୧୦ ହଜାର ଟଙ୍କାର ଆର୍ଥିକ ସହାତୟା ପ୍ରଦାନ କରିଥିଲେ । ପରେ ହସ୍ପିଟାଲରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।