କନକ ବ୍ୟୁରୋ : ନିମ୍ନମାନର କାମ ଯୋଗୁଁ ଭୁଶୁଡି ପଡିଲା ନିର୍ମାଣଧୀନ ପୋଲର ସ୍ଲାବ୍ । ନବରଙ୍ଗପୁର ଉମରକୋଟ ତାଲାପଦରରେ ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣାରେ ଏମିତି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ଘଟଣାରେ ବିଜୁ ସେତୁ କାମ ଠିକା ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ, ବିଭାଗୀୟ ଜେଇ ଏବଂ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ ଜେନା ।
କେମିତି ଓ କାହିଁକି ଭୁଶୁଡିଲା ନବରଙ୍ଗପୁର ତାଲାପଦରରେ ନିର୍ମାଣଧିନ ବିଜୁ ସେତୁ ? ପୋଲ ଭୁଶୁଡିବାର ପ୍ରକୃତ କାରଣ କ’ଣ ? ନିର୍ମାଣଧୀନ ପୋଲ ଭୁଶୁଡି ଜଣକର ଜୀବନ ଯିବା ପରେ ପ୍ରଶାସନିକ ସ୍ତରରେ ଖୋଳତାଡ ଚାଲିଛି । ଆଉ ଏତିକି ବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଛି କନକ ନ୍ୟୁଜ । ଗାଁ ଲୋକଙ୍କ କହିବା ଅନୁସାରେ, ନିମ୍ନମାନର ପୋଲ ନିର୍ମାଣ ହୋଇଛି । କଂକ୍ରିଟ୍ ପାଇଁ ଅତି ନିମ୍ନମାନର ଗୋଡି, ସିମେଂଟ, ବାଲି ବ୍ୟବହାର କରାଯାଉଥିବା ବେଳେ ସେଂଟ୍ରି ପାଇଁ ଆବଶ୍ୟକ ପାଇପ୍ ବି ଅତି ନିମ୍ନମାନର । ତେଣୁ ଏଭଳି ଅଘଟଣ ଘଟିଛି । ଅଭିଯୋଗ ଆସିବା ପରେ ସୁନାବେଡାରୁ ଅଧିକ୍ଷଣ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରିଛନ୍ତି ।
ରବିବାର ରାତିରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିବା ପରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲର ୨ଟି ସ୍ଲାବ କାମ ସରିଥିବା ବେଳେ ତୃତୀୟ ସ୍ଲାବ୍ ନିର୍ମାଣ ବେଳେ ଅଘଟଣ ଘଟିଛି । ଭଙ୍ଗା ବ୍ରିଜ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଜାନିଗୁଡାରୁ ତାଲାପଦରକୁ ସଂଯୋଗ କରିବାକୁ ୨କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ କରାଯାଉଛି । ନିମ୍ନମାନର କାମ ଯୋଗୁଁ ପୋଲ ଭୁଶୁଡିବା ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ ।
ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥା ହୋଇ ଠିକାଦାର, ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଏସଡିଓଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ସରକାରଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।